ମହିଳାଙ୍କ ତଣ୍ଟିି କାଟି ହତ୍ୟା: ୩ ଦିନ ପରେ ମୃତଦେହ ଉଦ୍ଧାର

ବଡବିଲ, ୧୯।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଶୁକୁରମୁନି ମୁଣ୍ଡା (୫୦) ନାମ୍ନୀ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୩ ଦିନ ପରେ ଏହି ଘଟଣା ପଦାକୁ ଆସିଛି। ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହ ପଡିଥିବା ତାଙ୍କ ସ୍ବାମୀ ଓ ପରିବାର ଲୋକେ ରବିବାର ଦେଖିବା ପରେ ଏ ନେଇ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ଶୁକୁରମୁନିଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗାଁରେ । ଏ ନେଇ ପୋଲିସ ଏକ ହତ୍ୟା ମାମଲା( ନଂ.୧୦୨/୨୦୧୯) ରୁଜୁ କରି ତଦନ୍ତ କରୁଛି।
ପୋଲିସ ସୂଚନା ଅନୁଯାୟୀ, ଶୁକୁରମୁନି ଗତ ଗୁରୁବାର ଅପରାହ୍ନରେ ଲହୁଣିପଶି ଗ୍ରାମ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କ ସହ ଯାଇଥିବା ଜଣେ ସମ୍ପର୍କୀୟ ସେଠାରେ ଏକ ଧାରୁଆ କାତି ସାହାଯ୍ୟରେ ତାଙ୍କ ବେକକୁ କାଟି ହତ୍ୟା କରି ଫେରାର ହୋଇଯାଇଥିବା ପାରପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି। ସମ୍ପୃକ୍ତ ସମ୍ପର୍କୀୟ ଫେରାର ଥିବାରୁ ଏଭଳି ସନ୍ଦେହ ଘନୀଭୂତ ହୋଇଛି। ଶୁକୁରମୁନି ଗାଈ ଚରାଇବାକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକ ୩ ଦିନ ଧରି ତାଙ୍କୁ ଏଣେତେଣେ ଖୋଜାଖୋଜି କରିଥିଲେ। ରବିବାର ସକାଳେ ତାଙ୍କ ସ୍ବାମୀ ଲାଳିଆ ମୁଣ୍ଡା ଜଙ୍ଗଲରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଜଣାଇଥିଲେ ା ଶୁକୁରମୁନିଙ୍କୁ ହତ୍ୟା କରାଯିବା ଘଟଣା ରହସ୍ୟଘେରରେ ଥିଲେ ମଧ୍ୟ ଗ୍ରାମବାସୀ ଭିନ୍ନ ଭିନ୍ନ କଥା କହୁଛନ୍ତି। ଫେରାରଥିବା ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ଶୁକୁରମୁନିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିବିବାଦ ରହିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।