Categories: ଫୁରସତ

ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ଅପରେଶନ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଚାଖୁ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ। କିନ୍ତୁ ଏଥର ମହିଳାଙ୍କ ପେଟରେ ଡାକ୍ତର ଅପରେଶନ ସମୟରେ ଏକ ଛୋଟ ତଉଲିଆ ରଖି ଦେଇଥିବା ଖବର ସାମ୍ନାକୁ ଆସିଛି। ସ୍କାନିଂ ଏବଂ ଅଲ୍‌ଟ୍ରାସାଉଣ୍ଡ୍‌ ପରେ ଏହି ଘଟଣା ଜଣାପଡ଼ିଛି।
ଉତ୍ତରପ୍ରଦେଶର ବାଗ୍‌ପତ ଜିଲାର ୪୦ ବର୍ଷୀୟା ନିଶା ବେଗମଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଘଟିଛି। ନିଶାଙ୍କ ପେଟରେ ଷ୍ଟୋନ୍‌ ହୋଇଥିବାରୁ ସେ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅପରେଶନ କରାଇଥିଲେ। କିନ୍ତୁ ଅପରେଶନ ପରେ ତାଙ୍କ ପେଟରେ ଦରଜ ରହିଲା। ଫଳରେ ସେ ୬ ମାସ ଧରି ଡାକ୍ତରଖାନା ଦୌଡ଼ିଲେ। ଔଷଧ ବଦଳାଇ ଦିଆଗଲା। ତଥାପି କୌଣସି ପରିବର୍ତ୍ତନ ଦେଖାଦେଲା ନାହିଁ। ଶେଷରେ ତାଙ୍କୁ ଦିଲ୍ଲୀସ୍ଥିତ ହିନ୍ଦୁରାଓ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ୧୫ ଦିନ ଡାକ୍ତରଖାନାରେ ରଖି କିଛି ପରୀକ୍ଷା ନିରୀକ୍ଷା କରିବା ପରେ ଦ୍ୱିତୀୟ ଥର ଅପରେଶନ କରାଇଲେ। ଯାହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ନିଶାଙ୍କ ପେଟରେ ଏକ ଛୋଟ ତଉଲିଆ ଏବଂ ବ୍ୟାଣ୍ଡେଜ୍‌ କପଡ଼ା ଥିବା ଡାକ୍ତର ଦେଖିବାକୁ ପାଇଥିଲେ। ଯେଉଁଥିପାଇଁ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଘଟଣା ଜଣାପଡ଼ିବା ପରେ ନିଶାଙ୍କ ପରିବାର ଲୋକେ ପୂର୍ବରୁ ଅପରେଶନ କରାଇଥିବା ଡାକ୍ତରଙ୍କ ନାମରେ କେସ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share