ମହିଳାଙ୍କ ପେଟରୁ ବାହାରିଲା ୮ କେଜି ୯୦୦ ଗ୍ରାମର ପଥୁରି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.): ଗତ ସପ୍ତାହରେ ଜଣେ ଯୁବକଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ଅଧ କେଜି ଓଜନର ପଥୁରି ବାହାରିଥିବା ବେଳେ ସୋମବାର ଜଣେ ମହିଳାଙ୍କ ପେଟରୁ ୮ କେଜି ୯୦୦ ଗ୍ରାମ ଓଜନର ପଥୁରି ବାହାରିଛି। ଅସ୍ତ୍ରୋପଚାର କରାଯାଇ ଏହାକୁ କଢାଯାଇଛି। ସଦର ବ୍ଲକ ଚଲାଣଗୁଡା ଗ୍ରାମର ରାମ ଦୁରୁଆଙ୍କ ଝିଅ ପ୍ରମିଳା ଦୁରୁଆ (୨୦)ଙ୍କ ପେଟ ବୃଦ୍ଧି ପାଇ ଯନ୍ତ୍ରଣା ହେଉଥିଲା। ଏନେଇ ସେ ପୂର୍ବରୁ ଅନେକଥର ଚିକିତ୍ସା ହେବା ସହ ଚେରମୁଳି ଔଷଧ ଖାଉଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ରବିବାର ଭର୍ତ୍ତି ହୋଇଥିଲେ। ଶଲ୍ୟ ବିଶେଷଜ୍ଞ ଡା ସପନ କୁମାର ଡିଣ୍ଡା ପ୍ରମିଳାଙ୍କ ସମସ୍ତ ପରୀକ୍ଷା ନିରୀକ୍ଷା କରି ପେଟରେ ପଥୁରି ଥିବା ଜାଣପାରିଥିଲେ। ତୁରନ୍ତ ପ୍ରମିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ୮ କେଜି ୯୦୦ ଗ୍ରାମର ପଥୁରି ବାହାରିଥିଲା। ବର୍ତ୍ତମାନ ପ୍ରମିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡା. ଡିଣ୍ଡା କହିଛନ୍ତି।