Categories: ଜାତୀୟ

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଓଜନର ଗହଣା

କୋଲକତା,୨୫।୭: ପଶ୍ଚିମବଙ୍ଗର ବୀରଭୂମୀ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳାଙ୍କ ସର୍ଜରୀ ପରେ ତାଙ୍କ ପେଟରୁ ପାଖାପାଖି ଦେଢ କିଲୋଗ୍ରାମ ଗହଣା ଓ ୯୦ଟି କଏନ୍‌ ମିଳିଥିବା ଜଣାପଡିଛି। ୨୬ ବର୍ଷୀୟ ଉକ୍ତ ମହିଳାଙ୍କ ପେଟରୁ ୫ଟଙ୍କିଆ ଓ ୧୦ ଟଙ୍କିଆ ପ୍ରାୟ ୯୦ଟି କଏନ୍‌ ଓ ଗହଣା ମଧ୍ୟରେ ଚେନ୍‌, ନୋଜରିଂ, ଝୁମକା, ଚୁଡ଼ି, ପାଉଁଜି ଆଦି ପାଖାପାଖି ୧.୫ କିଲୋଗ୍ରାମ ଗହଣା ମିଳିଥିବା କହିଛନ୍ତି ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ। ଗହଣା ଗୁଡିକ ଅଧିକାଂଶ ତମ୍ବା ଓ ପିତ୍ତଳର ହୋଇଥିବା ବେଳେ କେତେକ ସୁନାର ମଧ୍ୟ ରହିଛି। ସୂଚନାଯୋଗ୍ୟ, ମହିଳା ଜଣକ ମାନସିକ ବିକୃତ ହୋଇଥିବା ବେଳେ ତାଙ୍କ ମା’ କହିଛନ୍ତି କିଛିଦିନ ହେବ ତାଙ୍କ ଘରୁ ଗହଣା ଗୁଡିକ କେଉଁଆଡେ ଯାଉଥିବା ସେ ସନ୍ଦେହ କରିଥିଲେ। ଏହାପରେ କେତେଥର ମହିଳାଙ୍କର ବାନ୍ତି ହେବାସହ କଏନ୍‌ ବାହାରିବାରୁ ସନ୍ଦେହ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share