ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସୋମବାର ସକାଳେ ୨ ଜଣ ଲୁଟେରା ବାଇକ୍‌ରେ ଆସି ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଝାମ୍ପି ନେଇଛନ୍ତି। ଘଟଣାଟି ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମାନଗର ୪ର୍ଥ ଲାଇନରେ ଘଟିଛି। ମହିଳା ଜଣଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ମାସ୍କ ପିନ୍ଧିଥିବା ୨ ଯୁବକ ବାଇକରେ ଆସି ତାଙ୍କ ବେକରୁ ହାର ଝାମ୍ପି ନେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।