Categories: ରାଜ୍ୟ

ମହିଳାଙ୍କ ମୂତ୍ରନଳୀ କାଟିଦେବା ଘଟଣା : ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଥିବା ସମୟରେ ଡାକ୍ତର ମହିଳାଙ୍କ ମୂତ୍ରନଳୀ କାଟି ଦେଇଥିଲେ। ଏହି ଘଟଣାରେ ମହିଳାଙ୍କ ପରିବାର ସଦସ୍ୟ ବୁଧବାର ଜିଲାପାଳଙ୍କୁ ଭେଟିଛନ୍ତି। ଉନ୍ନତମାନର ଚିକିତ୍ସା ପାଇଁ ମହିଳାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରିବା ଲାଗି ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର ରାତିରେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଭିଡିଓ ସୋସିଆଲ୍‌ ମଡିଆରେ ଭାଇରାଲ ହୋଇଛି। ଡାକ୍ତରଙ୍କୁ ଏହିଭଳି ଦୁର୍ବ୍ୟବହାର କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି।
ଯେ, ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମର ରାମଚନ୍ଦ୍ର ବରାଡ଼ଙ୍କ ସ୍ତ୍ରୀ କାଳିଆ ବରାଡ଼ ସୋମବାର ପୂର୍ବାହ୍ନ ୧୦ଟାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଦଶପଲ୍ଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମଧ୍ୟାହ୍ନ ୧୨ଟାରେ ଡାକ୍ତର କାଳିଆଙ୍କ ଅସ୍ତ୍ରୋପଚାର କରାଇଥିଲେ। ତେବେ ତାଙ୍କର ଶିରା ଖୋଜି ନ ପାଇବାରୁ ଡାକ୍ତର ମହିଳାଙ୍କ ମୂତ୍ରନଳୀ କାଟି ଦେଇଥିବା ନେଇ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ମୂତ୍ରନଳୀ କଟିଯିବା ଫଳରେ କାଳିଆଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହିଭଳି ତ୍ରୁଟି ହୋଇଥିବା ଅଭିଯୋଗ କରିବା ସହ ମହିଳାଙ୍କ ଉନ୍ନତମାନର ଚିକିତ୍ସା ଦାବି କରି ପରିବାର ଲୋକ ମଙ୍ଗଳବାର ଦଶପଲ୍ଲା ଥାନା ଆଗରେ ରାସ୍ତାରୋକୋ କରିଥିଲେ। ରାତ୍ର ୧୨ଟାରେ ରାସ୍ତାରୋକୋ ହଟିଥିଲା। ସେହଭିଳି ଚିକିତ୍ସା ପାଇଁ ମହିଳା ଜଣଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବର୍ତ୍ତମାନ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ମହିଳାଙ୍କ ସ୍ବାମୀ ରାମଚନ୍ଦ୍ର ବରାଡ଼, ବଡ଼ ନଣନ୍ଦ ରୀତା ପ୍ରଧାନ, ସାନ ନଣନ୍ଦ ଗୀତା ପାଳ, ଭଉଣୀ ଯମୁନା ପାଳ ଜିଲାପାଳଙ୍କୁ ଭେଟିଥିଲେ। କାଳିଆଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିବର୍ତ୍ତେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସା କରାଇବା ପାଇଁ ସେମାନେ ଦାବି କରିଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ( ସିଡ଼ିଏମ୍‌ଓ) ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ମହିଳା ଜଣଙ୍କ ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ପରେ ସେ ସୁସ୍ଥ ହୋଇଯିବେ। ଯଦି ପରିବାର ଲୋକ ଜିଦ୍‌ ଧରି ବସିବେ, ତାହା ହେଲେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ସିଡିଏମ୍‌ଓ ଡା. ମହାପାତ୍ର ପ୍ରକାଶ କରିଛନ୍ତି।

Share