ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର

ଧର୍ମଶାଳା,୫ା୧୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମୃତ ମହିଳାଙ୍କ ଭଉଣୀ ମାନିନୀ ଓଝାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୫୬୩/୧୯) ରୁଜୁକରି ମୃତଦେହ ଜବତ କରିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ନସିଡିପୁର ଗ୍ରାମର ପ୍ରଫୁଲ୍ଲ ମହାରଣା ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ବଂଶୀଧର ଓଝାଙ୍କ ଝିଅ କୁନି ମହାରଣା(୪୨)ଙ୍କୁ ୧୯ ବର୍ଷତଳେ ବିବାହ କରିଥିଲେ। ମଙ୍ଗଳବାର ରାତିରେ କୁନିଙ୍କ ଖୁଡୀ ଶାଶୁ ମୃତ୍ୟୁବରଣ କରିଥିଲେ। ଏହା ପରେ ପରିବାର ଲୋକେ ଶବ ସତ୍କାର ପାଇଁ ଶ୍ମଶାନ ନେଇଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁନୀଙ୍କୁ ଯାଆ, ଦିଅର ଓ ଖୁଡି ଶାଶୁର ବୋହୁ ତଣ୍ଟିଚିପି ମାରି ଦେଇଥିବା ଭଉଣୀ ମାନିନୀ ଅଭିଯୋଗରେ ଦର୍ଶାଇଥିବା ଜଣାପଡିଛି। ଅପରପକ୍ଷେ ବୁଧବାର ଘରେ କେହି ନ ଥିବାବେଳେ କୁନି ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠରେ ଡାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିବା ଶାଶୁଘରଲୋକେ କହିଛନ୍ତି।

Share