ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜାରିହେଲା ଆଡ୍‌ଭାଇଜରି: ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସକୁ ଜଣାନ୍ତୁ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ କରି ଗଣବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି ସ୍ପର୍ଶକାତର ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଯୁବତୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଆଡଭାଇଜରି ଜାରି କରାଯାଇଛି। ଜଣେ ଯୁବତୀ କିମ୍ବା ମହିଳା ରାତିରେ ଘରକୁ ଫେରୁଥିଲେ କ’ଣ କରିବେ ଓ ପରିସ୍ଥିତିକୁ କିପରି ସାମ୍ନା କରିବେ ସେ ସମ୍ପର୍କରେ ପୋଲିସ କେତେକ ପରାମର୍ଶ ଦେଇଛି। କୌଣସି ଅଜଣା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ। ସେମାନେ ବାରମ୍ବାର ଚେଷ୍ଟା କରୁଥିଲେ ବି କୌଣସି ପରିସ୍ଥିତିରେ ମଧ୍ୟ କଥା ହୁଅନ୍ତୁ ନାହିଁ। ଯଦି କୌଣସି ସମସ୍ୟାରେ ପଡୁଛନ୍ତି, ତେବେ ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସକୁ ଜଣାନ୍ତୁ। ପିସିଆର ଭ୍ୟାନ୍‌ ଆସିବା ପୂର୍ବରୁ ଲୋକ ଗହଳି ଥିବା ସପିଂ ମଲ୍‌, ପେଟ୍ରୋଲ ପମ୍ପ କିମ୍ବା ଅନ୍ୟ ସ୍ଥାନକୁ ପଳାନ୍ତୁ। ଏପରି କି ବିଳମ୍ବିତ ରାତିରେ ଯୁବତୀମାନେ ଯାତାୟାତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏହି ଆଡ୍‌ଭାଇଜରି ମାଧ୍ୟମରେ ବାରଣ କରାଯାଇଛି। ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ପାଟ୍ରୋଲିଂ କଡାକଡା କରାଯାଇଛି। ବିଳମ୍ବିତ ରାତିରେ ବୁଲୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କ ଗତିବିଧି ଉପରେ ସନ୍ଦେହ ହେଲେ ତୁରନ୍ତ ଥାନାକୁ ନେଇ ପଚରାଉଚରା ସହ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share