Categories: ଜାତୀୟ

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ ରବି ବର୍ମା ଏବଂ ଯବାନ ବିଚିତ୍ର ବୋହ୍‌ରାଙ୍କୁ ସିବିଆଇ ଓ ଆଇବିର ମିଳିତ ଟିମ୍‌ ଗିରଫ କରିଛି। ପୋଖରାନ ଯାଉଥିଲାବେଳେ ଗୋଇନ୍ଦା ଅଧିକାରୀମାନେ ସେମାନଙ୍କୁ ପିଛା କରି ଯୋଧପୁର ରେଳଷ୍ଟେଶନରୁ ଗିରଫ କରି ହାଜତକୁ ନେବା ପରେ ପଚରା ଉଚରା ଜାରି ରଖିଛନ୍ତି। ଏମାନେ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ରେ ଫସି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସୀମା ତଥ୍ୟ ପ୍ରଦାନ କରୁଥିଲେ। ସେମାନେ ହ୍ବାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଜରିଆରେ ପାକିସ୍ତାନକୁ ସୂଚନା ପଠାଉଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ମହିଳା ଆଇଏସ୍‌ଆଇ ଏଜେଣ୍ଟ ଜଣକ ପାକିସ୍ତାନ ନମ୍ବରରୁ ଭଏସ୍‌ ଓଭର ଇଣ୍ଟରନେଟ ପ୍ରୋଟୋକଲ୍‌ ସେବା ଜରିଆରେ କଥା ହେଉଥିଲେ। ଏହା ଯବାନଙ୍କ ଫୋନ୍‌ ସ୍କ୍ରିନ୍‌ରେ ଭାରତୀୟ ନମ୍ବର ଭଳି ଜଣାପଡୁଥିଲା। ଫଳରେ ସେମାନେ ତାଙ୍କୁ ଭାରତୀୟ ମହିଳା ଭାବି ରାଜସ୍ଥାନରେ ସେନା ମୁତୟନ, ସେନା ଉପକରଣ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ଦେଇଚାଲିଥିଲେ।

Share