ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରେମିକଙ୍କ ଟେର ପାଉନି ପୋଲିସ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଜୟବିହାରରେ ଭଡ଼ାରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏବେବି ସସ୍‌ପେନ୍ସ ଲାଗିରହିଛି। ତାଙ୍କର ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ହତ୍ୟା କରିଛନ୍ତି ନା ଏହା ଏକ ଆତ୍ମହତ୍ୟା ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ପୋଲିସ। ବିକ୍ରମ ଫେରାର ରହିଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଛି। ତାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍‌ ବାଲେଶ୍ୱର ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ୱର ଜିଲାର ସିମୁଳିଆରେ ନ ଥିବା ଜଣାପଡିଛି। ପୋଲିସ ବିକ୍ରମଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ସେମାନେ ଉଭୟଙ୍କ ବିବାହ ପାଇଁ ରାଜିଥିଲେ। ହେଲେ ଏଭଳି ଘଟଣା କିଭଳି ଘଟିଲା ସେମାନେ କିଛି ଜାଣି ନ ଥିବା କହିଛନ୍ତି। ଏହାସହ ବିକ୍ରମ ତାଙ୍କୁ ହତ୍ୟା କରି ନ ଥିବା ପରିବାର ଲୋକେ ପୋଲିସ ଆଗରେ ଦୃଢ଼ତାର ସହ କହିଛନ୍ତି। ବିକ୍ରମ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ବୁଲୁଥିବା ପୋଲିସ ତାଙ୍କ ମୋବାଇଲ୍‌ ଫୋନ୍‌ ରେକର୍ଡରୁ ଜାଣିବାକୁ ପାଇଛି। ତେଣୁ ତାଙ୍କୁ ଧରିବାକୁ ଆଉ ଦୁଇଟି ଟିମ୍‌ ପଠାଇବା ପାଇଁ ପୋଲିସ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ଘଟଣାର ମୂଳରେ ପହଞ୍ଚିବା ପାଇଁ ପୋଲିସ ସୋମବାର ଦୀପାଳିଙ୍କ ସାନଉଭଣୀ ସେଫାଳି ଏବଂ ଭାଇଙ୍କୁ ପଚରାଉଚରା କରିଛି। ସେମାନେ ଦୀପାଳି ଓ ବିକ୍ରମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏବଂ ଉଭୟ ବିବାହ କରିଥାନ୍ତେ ବୋଲି କହିଛନ୍ତି। ବିକ୍ରମଙ୍କ ବିରୋଧରେ ସେମାନେ କିଛିବି କହିନାହାନ୍ତି। ଏପରି କି ଉଭୟଙ୍କ ମଧ୍ୟରେ କୌଣସି ଝଗଡ଼ା କିମ୍ବା ମାରପିଟ୍‌ ହୋଇ ନ ଥାଏ ବୋଲି ପୋଲିସ ଆଗରେ ଦୀପାଳିଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ଦେଖିବାକୁ ଗଲେ କେତେକ ଘଟଣା ପୋଲିସକୁ ରହସ୍ୟ ଘେରକୁ ନେଇଯାଇଛି। ମୃତଦେହ ନିକଟ ବେଡ୍‌ରୁ ପାଣି ବୋତଲ ଓ ଅଧାପୋଡ଼ା ସିଗାରେଟ୍‌ ମିଳିବା ସହ ରୁମ୍‌ରେ ମଦ ବୋତଲ ରହିଥିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହାସହ ଦୀପାଳି ଅବିବାହିତ ଥିବା ବେଳେ ସେ ମୁଣ୍ଡରେ ସିନ୍ଦୂର ଓ ହାତରେ ଚୂଡି ପିନ୍ଧିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ତେଣୁ ବିକ୍ରମ ଧରାପଡ଼ିଲେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ପୋଲିସ କହିଛି।

Share