ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ ଷ୍ଟେଶନରେ ଦୀର୍ଘ ୯ମାସ ଧରି ଭିତ୍ତିଭୂମି ଥିଲେ ମଧ୍ୟ ଏହା ନାମକୁମାତ୍ର କାର୍ଯ୍ୟକାରୀ ହୋଇଛି। ସମ୍ପୃକ୍ତ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି। ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କେବଳ ମାଳମାଳ ଯୋଜନା ମାଧ୍ୟମରେ ସରକାରୀ ଅର୍ଥର ଅପବ୍ୟୟ କରାଯାଉଛି। ଗଭର୍ନମେଣ୍ଟ ରେଲୱେ ପୋଲିସ(ଜିଆର୍‌ପି) ପକ୍ଷରୁ ରାଜ୍ୟର ପ୍ରତ୍ୟେକ ପ୍ରମୁଖ ରେଳ ଷ୍ଟେଶନରେ ମହିଳା ଓ ଶିଶୁ ୟୁନିଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଭାଗ ପକ୍ଷରୁ ୨୦୧୯ ମେ’ରୁ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଇଥିଲା। ବାଲେଶ୍ୱର ରେଳ ଷ୍ଟେଶନର ୨ ନମ୍ବର ପ୍ଲାଟଫର୍ମରେ ଏହି ୟୁନିଟ୍‌କୁ ସ୍ଥାନିତ କରାଯାଇଛି। ଏହି ୟୁନିଟ୍‌ ୨୪ ଘଣ୍ଟିଆ ଅହରହ ସେବା ଯୋଗାଇବା ବ୍ୟବସ୍ଥା ରହିଥିଲା। ବାଲେଶ୍ୱର ଷ୍ଟେଶନର ଏହି ୟୁନିଟ୍‌ରେ ଜଣେ ଅଫିସର ଓ ୨ଜଣ କନଷ୍ଟେବଳ କାର୍ଯ୍ୟ କରିବା କଥା। ବିଶେଷକରି ସେମାନେ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ଶିଶୁ ଶ୍ରମିକ ଚାଲାଣ ରୋକିବା ସହ ପରିଚୟବିହୀନ, ହଜିଯାଇଥିବା ତଥା ଅସହାୟ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବା ଏମାନଙ୍କର ମୁଖ୍ୟ କାର୍ଯ୍ୟ। ପରିଚୟ ନ ମିଳିଲେ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଆଶ୍ରମରେ ଛାଡ଼ିବାର ବ୍ୟବସ୍ଥା ରହିଥିଲା। ହେଲେ ସେସବୁ କାର୍ଯ୍ୟକାରୀ ହେବା ଦୂରର କଥା, ଏହି ୟୁନିଟ୍‌ ବର୍ତ୍ତମାନ ଜିଆର୍‌ପି ଅଧୀନରେ ନାମକୁ ମାତ୍ର ଚାଲିଛି। ଅନ୍ୟପକ୍ଷରେ ଥାନାରେ କର୍ମଚାରୀଙ୍କ ଅଭାବ ରହିଥିବାରୁ ଏହି ୟୁନିଟ୍‌ କାର୍ଯ୍ୟ କରିପାରୁ ନ ଥିବା ରେଲୱେ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ସେହିପରି ସମ୍ପୃକ୍ତ ୟୁନିଟ୍‌କୁ ବିଦ୍ୟୁତ୍‌ ସଂଯୋଗ ପାଇଁ ରେଳ ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ ସେଥିପାଇଁ ଅନୁମତି ମିଳିପାରିନାହିଁ । ଏହାଛଡ଼ା ଏହି ୟୁନିଟ୍‌ ଦୀର୍ଘଦିନ ଧରି ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ବେଳେ ସମ୍ପୃକ୍ତ ବିଭାଗ ଚୁପ୍‌ ବସିବା ଦୁଃଖର ବିଷୟ।
– ମାନସ ବିଶ୍ୱାଳ