Categories: ଖେଳ

ମହିଳା କ୍ରିକେଟରଙ୍କ ସହ ଖେଳିବେ ସଚିନ

ମେଲବୋର୍ନ, ୮।୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରିଙ୍କ ସମ୍ମୁଖୀନ ହେବେ। ଜଙ୍କଶନ ଓଭାଲରେ ରବିବାର ଡବଲ ହେଡର ମ୍ୟାଚ୍‌ ଖେଳାଯିବ। ବଶ ଫାୟାର (ଜଙ୍ଗଲ ନିଆଁ) ଚ୍ୟାରିଟି ମ୍ୟାଚ୍‌ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବାର ଅଛି। ୧୦ ଓଭରିଆ ଚ୍ୟାରିଟି ମ୍ୟାଚ୍‌ ମଧ୍ୟାନ୍ତରରେ ପେରିଙ୍କ ବୋଲିଂର ସମ୍ମୁଖୀନ ହେବେ ସଚିନ। ପେରିଙ୍କ ସାଥୀ ଖେଳାଳି ଫିଲ୍ଡିଂ କରିବେ। ୨୦୧୯ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ପେରି ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ମେସେଜ ଜରିଆରେ ସଚିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏହାକୁ ସ୍ବୀକାର କରି ନେଇଛନ୍ତି ସଚିନ। ମୋ ଡାକ୍ତର କାନ୍ଧଜନିତ ସମସ୍ୟା ଯୋଗୁ ନ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି। କିନ୍ତୁ ମୁଁ ଗୋଟେ ଓଭର ବ୍ୟାଟିଂ କରିବି। ଆମେ ଯଥେଷ୍ଟ ଅର୍ଥ ଯୋଗାଡ଼ କରିପାରିବୁ ଆଶା କରୁଛି ବୋଲି ସଚିନ ରିଟୁଇଟ୍‌ କରି ଲେଖିଛନ୍ତି। ବଶଫାୟାର କ୍ରିକେଟ ବାଶରେ ବ୍ରାଏନ ଲାରା, ଓ୍ବାସିମ ଆକ୍ରମ, ଯୁବରାଜ ସିଂ, ଆଣ୍ଡ୍ର୍ୟୁ ସାଇମଣ୍ଡସ, ଶେନ ଓ୍ବାଟସନ, ବ୍ରାଡ ହାଡିନ, ବ୍ରାଡ ହଜ, ବ୍ରେଟ ଲି, ଜଷ୍ଟିନ ଲାଙ୍ଗର, ମାଥ୍ୟୁ ହେଡେନଙ୍କ ସହ ମହିଳା କ୍ରିକେଟର ଆଲେକ୍ସ ବ୍ଲାକଓ୍ବେଲ, ଇଲିସ ଭିଲାନି ଅଷ୍ଟ୍ରେଲିଆନ ଫୁଟବଲ ଲିଗ୍‌ ଖେଳାଳି ଲୁକ ହଡ୍‌ଜ ମଧ୍ୟ ଖେଳିବେ।

Share