Categories: ଖେଳ

ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ

ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କ୍ରମାଗତ ୫ ଟି୨୦ ମ୍ୟାଚ୍‌ରେ ଅତିକମ୍‌ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୧୦୫ ରନ୍‌ର ଶତକୀୟ ଇନିଂସ ଖେଳିଛନ୍ତି। ପୂର୍ବରୁ ସେ ଭାରତ ବିପକ୍ଷ ଗତ ସିରିଜରେ ୭୨ ରନ୍‌ କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ରେ ଯଥାକ୍ରମେ ୫୪*, ୬୧ ଓ ୭୭ ରନ୍‌ର ଇନିଂସ ଖେଳିଥିଲେ। ଭାରତୀୟ ବ୍ୟାଟ୍ସଓମ୍ୟାନ ମିଥାଲି ରାଜ, ପୂର୍ବତନ ନ୍ୟୁଜିଲାଣ୍ଡ ପୁରୁଷ ଦଳର ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ ଟି୨୦ କ୍ରମାଗତ ୪ ଥର ୫୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ। ଉଲ୍ଲେଖଯୋଗ୍ୟ, ସୋଫିଙ୍କ ଶତକ ଯୋଗୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ୬୯ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି।

Share