Categories: ଖେଳ

ମହିଳା କ୍ରିକେଟ୍‌: ଭାରତର ସିରିଜ ସୁଇପ୍‌

ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଭାରତ ୬ ରନରେ ଜିତିନେଇଛି। ଏଥିସହ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ ସୁଇପ୍‌ କରିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆକୁ ଘରୋଇ ଦଳ ଯଥାକ୍ରମେ ୮ ଉଇକେଟ୍‌ ଓ ୫ ଉଇକେଟ୍‌ରେ ଜିତିଥିଲା। ପୂର୍ବରୁ ଟି୨୦ ସିରିଜକୁ ମଧ୍ୟ ଭାରତ ୩-୧ରେ କବ୍‌ଜା କରିନେଇଥିଲା। ଫଳରେ ଭାରତୀୟ ମହିଳା ଦଳ ସିରିଜ ସୁଇପ୍‌ କରିବାରେ ସଫଳ ହୋଇଛି।
ସ୍ଥାନୀୟ ରିଲାଏନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ ଲୋ-ସ୍କୋରିଂ ବିଶିଷ୍ଟ ରହିଥିଲା। ଟସ୍‌ ଜିତି ଭାରତୀୟ ଅଧିନାୟିକା ମିଥାଲି ରାଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ୫ ରନରେ ମଧ୍ୟରେ ଦୁଇ ଓପନର୍‌ ପ୍ରିୟା ପୁନିଆ (୦) ଓ ଜେମିମା ରୋଡ୍ରିଗ୍ବେଜ (୩)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଦଳ ନିୟମିତ ଅନ୍ତରରେ ଉଇକେଟ୍‌ ହରାଇ ୪୫.୫ ଓଭରରେ ୧୪୬ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ହର୍‌ମନପ୍ରୀତ୍‌ କୌର (୩୮) ଓ ଶିଖା ପାଣ୍ଡେ (୩୫)ଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟ୍ସଓମେନ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ପୁନମ ରାଉତ (୧୫), ମିଥାଲି (୧୧), ଦୀପ୍ତି ଶର୍ମା (୭), ଉଇକେଟ୍‌କିପର ତାନିଆ ଭାଟିଆ (୬) ପ୍ରମୁଖ ବିଫଳ ହୋଇଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରିଜନେ କାପ୍ପ ୩ ଏବଂ ଶାବନିମ ଇସମାଇଲ ଓ ଆୟାବୋଙ୍ଗା ଖାକା ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଭଳି ଅନୁରୂପ ଭାବେ ନିୟମିତ ଅନ୍ତରରେ ଉଇକେଟ୍‌ ହରାଇ ୪୮ ଓଭରରେ ୧୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମାରିଜନେ ୨୯, ଅଧିନାୟିକା ସୁନି ଲୁସ ୨୪, ଲୌରା ଓ୍ବଲଭର୍ଡଟ୍‌ ୨୩ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ଏକତା ବିସ୍ତ ୩ ଏବଂ ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଏକତା ବିସ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଓ ମାରିଜନେଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ- ୧୪୬/୧୦, ୪୫.୫ ଓଭର (ହର୍‌ମନପ୍ରୀତ୍‌ ୩୮, ଶିଖା ୩୫, ମିଥାଲି ୧୧, ମାନସୀ ଜୋଶୀ ୧୨, ମାରିଜନେ ୩/୨୦)।
ଦକ୍ଷିଣ ଆଫ୍ରିକା- ୧୪୦/୧୦, ୪୮ ଓଭର (ମାରିଜନେ ୨୯, ଲୁସ ୨୪, ମିଗନନ୍‌ ଡୁ ପ୍ରିଜ ୧୦, ବିସ୍ତ ୩/୩୨)।

Share