Categories: ଖେଳ

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକା ଟୁର୍‌କୁ ସ୍ଥଗିତ ରଖିଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୧୪ା୩ (ପି.ଟି.)- ଚଳିତ ମାସ ୨୨ରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ସୀମିତ ଓଭର ବିଶିଷ୍ଟ ଟୁର୍‌କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ମହିଳା ଦଳ ଦକ୍ଷିଣ ଆଫ୍ରିକାରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ଥିଲା। ତିନୋଟି ଦିନିକିଆ ମ୍ୟାଚ ଡର୍ବାନ (ମାର୍ଚ୍ଚ ୨୨) ପିଟରମାରିଜବର୍ଗ (ମାର୍ଚ୍ଚ-୨୫) ଓ ଇଷ୍ଟ ଲଣ୍ଡନ (ମାର୍ଚ୍ଚ ୨୮)ଠାରେ ଏବଂ ତିନୋଟି ଟି୨୦ ଇଷ୍ଟ ଲଣ୍ଡନ (ମାର୍ଚ୍ଚ ୩୧) ଓ ବୋନୋନୀ (ଏପ୍ରିଲ ୩ ଓ ୪ ତାରିଖ)ଠାରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହି ସିରିଜ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପ୍ରକାଶ କରିଛି।

Share