Categories: ଖେଳ

ମହିଳା କ୍ରିକେଟ ଦଳ ଲାଗି ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତ ହେବେ

ନୂଆଦିଲ୍ଲୀ,୧୧।୯(ପି.ଟି.)- ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରଫର୍ମାନ୍ସ ଆନାଲିଷ୍ଟ ବା ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତି ଦେବ। ଏ ନେଇ ବୋର୍ଡ ଦରଖାସ୍ତ ଆହ୍ବାନ କରିଛି। ଟିମ୍‌ ମ୍ୟାନେମେଣ୍ଟ ଏହି ପଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ସେପ୍ଟେମ୍ବର ୨୦କୁ ଆବେଦନ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ପରଫର୍ମାନ୍ସ ଆନାଲିଷ୍ଟଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନ ଥିବ ବୋଲି କୁହାଯାଇଛି। ତଥ୍ୟକୁ ଭିତ୍ତି କରି ଆନାଲିଷ୍ଟ ତାଙ୍କର କାର୍ଯ୍ୟ କରିବେ ବୋଲି ବିସିସିଆଇ କହିଛି। ଖେଳାଳିମାନଙ୍କ ବୈଷୟିକ ଓ ଯୋଜନା ସମ୍ପର୍କିତ ଦୃଷ୍ଟିକୋଣକୁ ବୁଝିବା ଓ ଏହାକୁ ଆହୁରି ଦୃଢ଼ କରିବା ପାଇଁ ପରଫର୍ମାନ୍ସ ଆନାଲିଷ୍ଟ କୋଚିଂ ଷ୍ଟାଫ୍‌ଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ। ଏଥି ସହିତ ମ୍ୟାଚ୍‌ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତିରେ ପରଫର୍ମାନ୍ସ ଆନାଲିଷ୍ଟ ସହଯୋଗ କରିବେ। ପୁଣି ପ୍ରତିପକ୍ଷ ଦଳ ଓ ଖେଳାଳିଙ୍କ ଦୁର୍ବଳତା ଓ ଦକ୍ଷତାକୁ ଆନାଲିଷ୍ଟ ବିଶ୍ଳେଷଣ କରି ନିଜ ଖେଳାଳିମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇବେ ବୋଲି ବୋର୍ଡ ତରଫରୁ କୁହାଯାଇଛି।
ଏହି ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର କୌଣସି ରାଜ୍ୟସ୍ତରୀୟ ସିନିୟର ଦଳ କିମ୍ବା ଆହୁରି ଉଚ୍ଚସ୍ତରର ଦଳ ସହ କାର୍ଯ୍ୟ କରିବାରେ ଅତିକମ୍‌ରେ ୩ ବର୍ଷ ଅଭିଜ୍ଞତା ରହିଥିବ। ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଘରୋଇ ସିରିଜ ପୂର୍ବରୁ ପରଫର୍ମାନ୍ସ ଆନାଲିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ସୁରଟରେ ଏହି ସିରିଜ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ପ୍ରଥମ ଆନାଲିଷ୍ଟ ଭବେ ଆରତୀ ନାଲ୍‌ଗେ ୨୦୧୪ରୁ ୨୦୧୮ ମଧ୍ୟରେ କାର୍ଯ୍ୟ କରିଥିଲେ। ସେତେବେଳେ ସେ ଯୋଜନା ପ୍ରସ୍ତୁତ କରିବା ସହ ଓ୍ବାଗନ ହ୍ବିଲ୍‌ ଓ ପ୍ରତିପକ୍ଷ ଖେଳାଳିଙ୍କ ଭିଡିଓ ଦେଖାଇବାର କାର୍ଯ୍ୟ କରୁଥିଲେ।

Share