Categories: ଖେଳ

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭାରତ ଶେଷ ପର୍ଯ୍ୟନ୍ତ ଖେଳି ୨୨୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ପରାଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭ୍ରମଣକାରୀ ଦଳ ୧-୦ ବ୍ୟବଧାନରେ ପଛୁଆ ରହିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୨୨୫ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ଷ୍ଟେଫିନି ଟେଲର ସର୍ବାଧିକ ୯୪ ରନ୍‌ କରିଥିଲେ। ସେ ଇନିଂସର ଅନ୍ତିମ ବଲକୁ ଛକା ମାରି ଶତକ ପୂରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲଙ୍ଗ ଅଞ୍ଚଳ ବାଉଣ୍ଡରିରେ ଛିଡ଼ା ହୋଇଥିବା ହରମନପ୍ରୀତ କୌର ଏକ ଚମତ୍କାର କ୍ୟାଚ ନେଇ ଟେଲରଙ୍କୁ ଶତକରୁ ବଞ୍ଚତ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନତାଶା ମ୍ୟାକଲିନ ୫୧ ଓ ଚେଡିନ ନେଶନ ୪୩ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଶିକ୍ଷା ପାଣ୍ଡେ ଓ ଦୀପ୍ତି ଶର୍ମା ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଝୁଲଣ ଗୋସ୍ବାମୀ, ଇକ୍ତା ବିଷ୍ଟ ଓ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ କରି ଉଇକେଟ ହାତେଇଥିଲେ। ଜବାବରେ ପ୍ରିୟା ପୁନିଆଙ୍କ ୭୫, ଜେମିମା ରୋଡ୍ରିଗୁଏଜଙ୍କ ୪୧ ଓ ପୁନମ ରାଉତଙ୍କ ୨୨ ରନ୍‌ ଯୋଗୁ ଭାତରୀୟ ଦଳ ୩୯.୩ ଓଭରରେ ୩ ଉଇକେଟ ହରାଇ ୧୭୦ ରନ୍‌ କରି ମଜଭୁତ ସ୍ଥିତିରେ ଥିଲା। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ବଳକା ୬୩ ବଲରେ ୫୬ ରନ୍‌ ଦରକାର ଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ଦୁଇ ରନ୍‌ ପଛରେ ରହିଯାଇଥିଲା। ଭାରତୀୟ ଦଳ ୫୦ ଓଭରରେ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ମିଥାଲି ୨୦, ଦୀପ୍ତି ଶର୍ମା ୧୯ ଓ ଝୁଲଣ ଗୋସ୍ବାମୀ ୧୪ ରନ୍‌ କରିଥିଲେ। ବିଜୟୀ ଦଳ ଲାଗି ଅନୀଷା ମହମ୍ମଦ ୫ ଉଇକେଟ ହାସଲ କରିଥିଲେ। ଅଧିନାୟିକା ଟେଲର ଓ ଶାବିକା ଗଞ୍ଜାବି ୨ଟି ଲେଖାଏ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୩ ତାରିଖରେ ସମାନ ଭେନ୍ୟୁରେ ଖେଳାଯିବ।

Share