Categories: ଖେଳ

ମହିଳା ଚ୍ୟାଲେଞ୍ଜର ଟ୍ରଫି:  ଆଜି ବାରବାଟୀରେ ଭାରତ ‘ଏ’, ‘ବି’ର ଅଭ୍ୟାସ

କଟକ ଅଫିସ,୩ା୧-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆସନ୍ତା ୪ରୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ୯ ତାରିଖ ପର୍ଯ୍ୟନ୍ତ ଭାରତ-ଏ, ଭାରତ-ବି ଓ ଭାରତ-ସି ମଧ୍ୟରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ରହିଥିବା ବେଳେ ୧୦ରେ ଫାଇନାଲ ମୁକାବିଲା ହେବ। ସମସ୍ତ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଦଳ ଓ ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି ଦଳ ଅଭ୍ୟାସକୁ ଆସିବେ। ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଉଭୟ ଦଳର ଅଭ୍ୟାସ ସମୟ ଧାର୍ଯ୍ୟ କରାଯାଇଛି। ବାରବାଟୀରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଦୁଇ ଓଡ଼ିଆ ଖେଳାଳି ଦେଖିବାକୁ ମିଳିବେ। ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ମାଧୁରୀ ମେହେଟ୍ଟା ଯଥାକ୍ରମେ ଇଣ୍ଡିଆ ‘ବି’ ଓ ‘ସି’ ଦଳରେ ରହିଛନ୍ତି। ୪ରେ ଏ ଓ ବି ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ୫ ତାରିଖରେ ଇଣ୍ଡିଆ ବି ଓ ସି ମଧ୍ୟରେ ମ୍ୟାଚ୍‌ ରହିଛି। ପ୍ରତ୍ୟେକ ମ୍ୟାଚ୍‌ ସକାଳ ୧୧ଟାରୁ ଦିନ ୧.୪୫ ପର୍ଯ୍ୟନ୍ତ ଖେଳାଯିବ।
ଭାରତ-ଏ ଦଳ: ହରମନପ୍ରୀତ କୌର(ଅଧିନାୟିକା), ତାନିଆ ଭାଟିଆ(ଉଇକେଟ କିପର), ଜେସିଆ ଅଖ୍‌ତାର(ଉଇକେଟ କିପର), ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମାନସୀ ଜୋଷୀ, ମେଘନା ସିଂ, ଜେ. କୋମଲ, ମିନୁ ମାନି, ରାଧା ଯାଦବ, ଭାରତ ଫୁଲମଲି।
ଭାରତ-ବି ଦଳ: ସ୍ମୃତି ମାନ୍ଧାନା(ଅଧିନାୟିକା), ସୁଷମା ବର୍ମା(ଉଇକେଟ କିପର), ଆର୍‌. କଳ୍ପନା(ଉଇକେଟ କିପର), ଭି.ଆର୍‌. ଭନିଥା, ଜେମିହା ରୋଡ୍ରିଗୁଏଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ବସ୍ତ୍ରକାର, ଶିଖା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ଶ୍ରାବଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ, ଟି.ପି . କନୱାର, ରିଚା ଘୋଷ।

Share