Categories: ଖେଳ

ମହିଳା ଜାତୀୟ ବକ୍ସିଂ ଖେଳାଳିଙ୍କ ପାଇଁ ବର ଖୋଜୁଥିଲେ ମା’: ଲିଙ୍ଗ ପରିବର୍ତ୍ତନ କରି ଘରକୁ ଫେରିଲେ ଝିଅ

ଲକ୍ଷ୍ନୌ, ୨୪।୬: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳା ଜାତୀୟ ବକ୍ସିଂ ଖେଳାଳି ପ୍ରିୟଙ୍କା ପାଲ୍‌ ଲିଙ୍ଗ ପରିବର୍ତ୍ତନ କରି ପୁଅ ବେଶରେ ଘରକୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବାକୁ ତାଙ୍କ ମା’ ଲାଗିପଡିଥିବାବେଳେ ତାଙ୍କର ଏଭଳି ବେଶ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ପ୍ରିୟଙ୍କାଙ୍କ ନାମ ବଦଳି ଏବେ ଶ୍ରେୟାନ ପାଲ୍‌ ହୋଇଯାଇଛି। ଯେଉଁଘରେ ଝିଅ ବିଦା ପାଇଁ ଯୋଜନା ଚାଲିଥିଲା ସେଇ ଘରକୁ ବୋହୂ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ନିଜ ମଧ୍ୟରେ ଝିଅ ଗୁଣ ନ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ପିତା ଜଣେ ବିଲ୍‌ଡର ଭାବେ କାମ କରନ୍ତି। ତାଙ୍କ ପରିିବାର କାନପୁରର ଯଶୋଦାନଗରରେ ବାସ କରନ୍ତି। ବାଳିକା ସ୍କୁଲରେ ପଢିବାଠାରୁ ଆରମ୍ଭ କରି ମହିଳା ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗନେବାର ଦୀର୍ଘ ୨୫ବର୍ଷ ପର୍ଯ୍ୟନ୍ତ ପ୍ରିୟଙ୍କା ଝିଅ ହିସାବରେ ସବୁ କାମ କରୁଥିଲା ବୋଲି ତାଙ୍କ ପିତା କହିଛନ୍ତି। ପ୍ରିୟଙ୍କା ଏବେ ହରିୟାଣାରେ ଜଣେ ଖେଳ ଶିକ୍ଷକ ଭାବେ କାମ କରୁଛନ୍ତି। ପ୍ରିୟଙ୍କା ନୁହେଁ, ଶ୍ରେୟାନ ପରିଚୟରେ ଆଗକୁ ବଢିବେ ବୋଲି ପ୍ରିୟଙ୍କା କହିଛନ୍ତି। ହରିୟାଣାରେ ଲିଙ୍ଗ ପରିବର୍ତ୍ତନ ନେଇ ଜଣେ ଡାକ୍ତରଙ୍କ ପରାମର୍ଶ କରିଥିଲି। ଝିଅରୁ ପୁଅ ହେବା ପାଇଁ ୨ ବର୍ଷ ଲାଗିଯାଇଥିଲା। ଏଥିପାଇଁ ଶରୀରରେ ବିଭିନ୍ନ ସର୍ଜରି କରାଯାଇଥିଲା ବୋଲି ସେ କହିଛନ୍ତି। ପ୍ରିୟଙ୍କାଙ୍କ ନିଷ୍ପତ୍ତିରେ ତାଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରିୟଙ୍କା ଦେଶ ବିଦେଶରେ ବିଭିନ୍ନ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଛନ୍ତି।

Share