ଦୋହା, ୧।୧୦(ପି.ଟି.)-
ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଭାରତର ଶୀର୍ଷସ୍ଥାନୀୟ ମହିଳା ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସୋମବାର ଅନୁଷ୍ଠିତ ଯୋଗ୍ୟତା ପର୍ଯାୟ ରାଉଣ୍ଡରେ ସେ ଏହି ସଫଳତା ପାଇଛନ୍ତି। ୨୭ ବର୍ଷୀୟା ଅନୁ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍ ‘ଏ’ରେ ପ୍ରଥମ ଉଦ୍ୟମରେ ୫୭.୦୫ ମିଟର ଜାଭେଲିନ ଥ୍ରୋ କରିଥିଲେ। ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୬୨.୪୩ ମିଟର ଥ୍ରୋ କରି ଜାତୀୟ ରେକର୍ଡ ଭାଙ୍ଗିଥିଲେ। ପୂର୍ବରୁ ସେ ଗତ ମାର୍ଚ୍ଚରେ ପଟିଆଲାରେ ଅନୁଷ୍ଠିତ ଫେଡେରେଶନ କପ୍ରେ ୬୨.୩୪ ମିଟର ଥ୍ରୋ ସହିତ ଜାତୀୟ ରେକର୍ଡର ଅଧିକାରିଣୀ ଥିଲେ। ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ସେ ୬୦.୫୦ ମିଟର ଥ୍ରୋ କରି ନିଜ ଗ୍ରୁପ୍ରେ ତୃତୀୟ ସ୍ଥାନରେ ରହିଥିଲେ। ଏସଆନ ଗେମ୍ସ ଚାମ୍ପିୟନ ଚାଇନାର ଲିଉ ଶିୟିଙ୍ଗ୍(୬୩.୪୮ ମିଟର) ଏବଂ ସ୍ଲୋଭେନିଆର ରତେଜ ମାର୍ଟିନା (୬୨.୮୭ ) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଜାଭେଲିନ୍ ଥ୍ରୋ ଦୂରତା ଅନୁସାରେ ଅନୁ ଓଭରଅଲ୍ ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ଚାମ୍ପିୟନଶିପ୍ ମହିଳା ଜାଭେଲିନ୍ ଥ୍ରୋର ଫାଇନାଲ ରାଉଣ୍ଡରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫାଇନାଲ ରାଉଣ୍ଡରେ ପ୍ରବେଶ କରିବାର କ୍ୱାଲିଫାଇଂ ମାର୍କ ହେଲା ୬୩.୫୦ ମିଟର। ଏଥିରେ କୋଟା ପୂରଣ ହୋଇ ନ ପାରିବାରୁ ଗ୍ରୁପ୍ ‘ଏ’ ଓ ‘ବି’ରୁ ଶ୍ରେଷ୍ଠ ୧୨ ପ୍ରଦର୍ଶନକାରୀ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।