Categories: ଖେଳ

ମହିଳା ଟି୨୦: ଅଭ୍ୟାସ ମ୍ୟାଚ୍‌ରେ ହାରିଲା ବୋର୍ଡ ସଭାପତି ଏକାଦଶ

ସୁରାଟ, ୨୩।୯(ପି.ଟି.)- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ଅଭ୍ୟାସ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମହିଳା ଦଳଠାରୁ ବୋର୍ଡ ସଭାପତି ଏକାଦଶ ବୃହତ୍‌ ୮୩ ରନରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା। ଜବାବରେ ସଭାପତି ଦଳ ୨୦ ଓଭରରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଭାରତ ତରଫରୁ ଭାରତୀ ଫୁଲମାଲି ୨୩, ମାନସୀ ଜୋଶୀ ୨୦, ଦେବିକା ବୈଦ୍ୟ ୧୯ ରନ କରି ଆଉଟ ହୋଇଥିବା ବେଳେ ତାରାନୁମ ପଠାନ ୧୫ ରନ କରି ଅପରାଜିତ ରହିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଶବନିମ ଇସ୍‌ମାଇଲ ଓ ସୁନେ ଲୁସ୍‌ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଆୟାବୋଙ୍ଗା ଖାକା ୨ ଓ ଆନି ବୋସ୍କ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଲିଜେଲି ଲି ୬୫, ତାଜମିନ ବ୍ରିଟ୍ସ ୨୦, ନାଡିନ ଡି କ୍ଳେର୍କ ୨୯ ରନକରି ଆଉଟ ହୋଇଥିବା ବେଳେ ମିଗ୍‌ନନ ଡୁ ପ୍ରିଜ୍‌ ୪୦ ରନ କରି ଅପରାଜିତ ରହିଥିଲେ। ବୋଡ ସଭାପତି ଏକାଦଶ ତରଫରୁ ପଠାନ ୨, ଓଡ଼ିଆ ବୋଲର ସୁଶ୍ରୀ ଦିବ୍ୟଦର୍ଶନୀ, ବୈଦ୍ୟ, ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ୨୪ ତାରିଖରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଏହାପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆୟୋଜନ ହେବ। ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶନୀ ୨୬ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ବ୍ୟାଟିଂରେ ସେ ବିନା ସ୍କୋରରେ ରନ୍‌ ଆଉଟ ହୋଇ ଅନ୍ତିମ ଉଇକେଟ ଭାବେ ପ୍ୟାଭିଲିୟନ ଫେରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୭୪/୫
(ଲି- ୬୫, ପ୍ରିଜ୍‌- ୪୦*, ପଠାନ- ୨/୨୩, ସୁଶ୍ରୀ ଦିବ୍ୟଦର୍ଶନୀ- ୧/ ୨୬)।
ବୋର୍ଡ ସଭାପତି ଏକାଦଶ
୨୦ ଓଭରରେ ୯୧ ଅଲଆଉଟ୍‌
(ଫୁଲମାଲି- ୨୩, ଜୋଶୀ- ୨୦, ଇସ୍‌ମାଇଲ- ୩/୧୧, ଲୁସ୍‌- ୩/୧୭)।

Share