Categories: ଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜର:ଇଣ୍ଡିଆ ‘ସି’ ଚାମ୍ପିୟନ

କଟକ ଅଫିସ,୧୧ା୧-
ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ସି ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଇଣ୍ଡିଆ-ବି ଦଳକୁ ଫାଇନାଲରେ ୮ ଉଇକେଟରେ ହରାଇ ଇଣ୍ଡିଆ-ସି ଏହି ଟାଇଟଲ ଜିତିଛି। ସି ଦଳର ଓପନର ତଥା ହରିୟାଣାର ୧୬ବର୍ଷୀୟ ପ୍ରତିଭାବାନ ଖେଳାଳି ସେଫାଳି ବର୍ମା ୮୯ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।
ଫାଇନାଲ ମୁକାବିଲାରେ ଉଭୟ ଦଳରେ ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ଇଣ୍ଡିଆ-ବି ଦଳ ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ସି ଦଳ ପକ୍ଷରୁ ମାଧୁରୀ ମେହେଟାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟିକା ସ୍ମୃତି ୩ରନରେ ଆଉଟ ହେବାସହ ଦଳ ୬୪ରନରେ ୫ଟି ଉଇକେଟ ହରାଇଥିଲା। ଅଲରାଉଣ୍ଡର ପୂଜା ବସ୍ତ୍ରକାରଙ୍କ ଧୁଆଁଧାର ବ୍ୟାଟିଂ କରି ୨୨ ବଲରୁ ୩ଟି ଲେଖାଏ ଚୌକା ଓ ଛକା ବଳରେ ୪୩ରନ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଭେଲାସ୍ବାମୀ ଭନିଥା ୨୫ରନ କରିଥିଲେ। ଇଣ୍ଡିଆ-ବି ୬ ଉଇକେଟ ହରାଇ ୧୩୧ରନ କରିଥିଲା। ସୁଶ୍ରୀଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ରାଜେଶ୍ୱରୀ ଗାଏକ୍ବାଡ ଓ ଦୟଲାନ ହେମଲତା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୨ରନର ବିଜୟ ଲକ୍ଷ୍ୟକୁ ଇଣ୍ଡିଆ-ସି ୧୫.୨ ଓଭରରେ ୨ ଉଇକେଟ ହରାଇ ହାସଲ କରିଥିଲା। ଓପନର ତଥା ଓଡ଼ିଆ ଖେଳାଳି ମାଧୁରୀ ଓ ସେଫାଳି ପ୍ରଥମ ଉଇକେଟ ଭାଗିଦାରୀରେ ୭୭ରନ ସଂଗ୍ରହ କରିଥିଲେ। ୩ଟି ଚୌକା ବଳରେ ୨୦ରନ କରିଥିବାବେଳେ ମାଧୁରୀ ଦୁର୍ଭାଗ୍ୟବଶତଃ ରନଆଉଟ ହୋଇଥିଲେ। ଅଧିନାୟିକା ବେଦ କ୍ରୀଷ୍ଣାମୃର୍ତ୍ତି ୧୫ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିବା ସେଫାଳି(୮୯ରନ) ଓ ଦୟଲାନ ହେମଲତା(୬ରନ) ଅପରାଜିତ ରହି ଦଳକୁ ଜିତାଇଥିଲେ। ସେଫାଳିଙ୍କ ଇନିଂସରେ ୧୫ ଚୌକା ଓ ୨ଟି ଛକା ସାମିଲ ଥିଲା। ଇଣ୍ଡିଆ-ବି ପକ୍ଷରୁ ଶିଖା ପାଣ୍ଡେ ଏକମାତ୍ର ଉଇକେଟ ହାସଲ କରିଥିଲେ। ଇଣ୍ଡିଆ-ବି ଅଧିନାୟିକା ସ୍ମୃତି ସେଫାଳିଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ ତାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ‘ସି’ ଦଳ ଚାମ୍ପିୟନ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Share