Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌ରେ ଫ୍ରଣ୍ଟ ଫୁଟ ନୋ ବଲ ଦେଖିବ କମ୍ପ୍ୟୁଟର

ଦୁବାଇ,୧୧।୨- ପ୍ରଥମ ଥର ପାଇଁ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଫ୍ରଣ୍ଟ ଫୁଟ ନୋ ବଲ ଟେକ୍‌ନୋଲୋଜି ବ୍ୟବହାର କରାଯିବ। ନିକଟ ଅତୀତରେ ଅନ୍ତର୍ଜାତୀୟ ସ୍ତରରେ ଏହାର ସଫଳ ବ୍ୟବହାର ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆରେ ଚଳିତମାସରେ ହେବାକୁ ଥିବା ଇଭେଣ୍ଟରେ ପ୍ରତ୍ୟେକ ବଲ ପରେ ତୃତୀୟ ଅମ୍ପାୟର ବୋଲରଙ୍କ ଫ୍ରଣ୍ଟ ଫୁଟ୍‌ର ସ୍ଥାନ ପରଖିବେ। ଅନ୍‌ଫିଲ୍ଡ ଅମ୍ପାୟର ଆଉ ଏହା ଉପରେ ଧ୍ୟାନ ଦେବେ ନାହିଁ। କିନ୍ତୁ ଯଦି ନୋ ବଲ ଦେଖନ୍ତି, ତେବେ ତୃତୀୟ ଅମ୍ପାୟରଙ୍କୁ ପରାମର୍ଶ ଦେବେ। ଏହା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ନୋ ବଲ ନିଷ୍ପତ୍ତି ପୂର୍ବଭଳି ଫିଲ୍ଡ ଅମ୍ପାୟର ଦେବେ। ଏହି ଟେକ୍‌ନୋଲୋଜି ଗତବର୍ଷ ଡିସେମ୍ବରରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ରେ ବ୍ୟବହାର ହୋଇଥିଲା। ଆଇସିସି ଅନୁସାରେ, ନୂଆ ଟେକ୍‌ନୋଲୋଜିକୁ ୧୨ଟି ମ୍ୟାଚ୍‌ରେ ୪୭୧୭ ବଲରେ ବ୍ୟବହାର କରାଯାଇଛି। କ୍ରିକେଟରେ ନୂଆ ଟେକ୍‌ନୋଲୋଜି ବ୍ୟବହାର କରାଯିବା କିଛି ନୂଆ କଥା ନୁହେଁ। ଏହା ମ୍ୟାଚ୍‌ ଅଫିସିଆଲଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହାଦ୍ୱାରା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ରେ ଫ୍ରଣ୍ଟ ଫୁଟ ଜନିତ ନୋ ବଲ ତ୍ରୁଟି ହ୍ରାସ ପାଇବ ବୋଲି ଆଇସିସିର ସାଧାରଣ ସମ୍ପାଦକ ଜିଅଫ ଅଲାର୍ଡାଇସ କହିଛନ୍ତି।

Share