Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଆଗରେ ୧୩୩ ରନ୍‌ର ଟାଗେର୍ଟ

ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୪ ଓଭରରେ ୪୦ ରନ୍‌ ଯୋଡ଼ିଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଶେଫାଳି (୨୯), ମନ୍ଧାନା (୧୦), ଅଧିନାୟିକା ହରମନପ୍ରୀତ କୌର (୨)ଙ୍କ ଉଇକେଟ ହରାଇଥିଲା। ଏଭଳି ସଙ୍କଟ ଜନକ ସ୍ଥିତିରେ ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମା ଧିମା ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟ୍ସଓମ୍ୟାନ ଚତୁର୍ଥ ଉଇକେଟ ପାଇଁ ୫୩ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇ ଥିଲେ। ରୋଡ୍ରିଗୁଏଜ ୨୬ ରନ୍‌ କରି ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଏହାପରେ ବଳକା ୪ ଓଭରରେ ଭାରତୀୟ ଦଳ ମାତ୍ର ୩୨ ରନ୍‌ କରିପାରି ନ ଥିଲା। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୀପ୍ତ ୪୯ ଓ ବେଦ କ୍ରିଷ୍ଣମୂର୍ତ୍ତି ୯ ରନ୍‌ କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଜେସ ଜୋନାସେନ ଦୁଇଟି ଉଇକେଟ ନେଇଥିଲେ।

Share