Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌: ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ,୧୮।୨- ସ୍ପିନର ପୁନମ ଯାଦବଙ୍କ ୩ ଉଇକେଟ ସଫଳତା ବଳରେ ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ ପୂର୍ବରୁ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ ୨ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ୧୦୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ ଏକଦା ୧୩ ଓଭରରେ ଏକ ଉଇକେଟ ହରାଇ ୫୭ ରନ୍‌ କରି ସହଜ ସ୍ଥିତିରେ ଥିଲା। କିନ୍ତୁ ସ୍ପିନର ଦୀପ୍ତି ଓପନର ଲି ଆନ କିର୍ବି (୪୨)ଙ୍କ ଉଇକେଟ ନେଇଥିଲେ। ଏହାପରେ ଓ୍ବେଷ୍ଟଇଣ୍ଡିଜ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା। ଅଧିନାୟିକା ଷ୍ଟେଫିନ ଟେଲର (୧୬), ଚେଦିନ ନ୍ୟାଶନ (୦) ଓ ଡିଏଣ୍ଡ୍ରା ଡଟିନ (୧) ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ୧୭ ଓଭର ସୁଦ୍ଧା ୫ ଉଇକେଟ ହରାଇ ୬୭ ରନ କରିଥିଲା। ହେଲି ମାଥ୍ୟୁସ (୨୫) ଓ ଚିନଲେ ହେନ୍‌ରୀ (୧୭) ୧୯ତମ ଓଭରରେ ୩ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏଥିଯୋଗୁ ଦଳକୁ ଜିତିବା ଲାଗି ଅନ୍ତିମ ଓଭରରେ ୧୧ ରନ୍‌ ଦରକାର ଥିଲା। ପୁନମଙ୍କ ପ୍ରଥମ ୩ ବଲରେ ୭ ରନ୍‌ କରିଥିବା ମାଥ୍ୟୁସ ଚତୁର୍ଥ ବଲରେ ଆଉଟ୍‌ ହୋଇଥିଲେ। ଅନ୍ତିମ ବଲରେ ୩ ରନ୍‌ ଦରକାର ଥିଲା। ହେନ୍‌ରୀ ବେଦ କ୍ରିଷ୍ଣମୂର୍ତ୍ତିଙ୍କ ହାତରେ ଧରାପଡ଼ିଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଟପ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଦଳ ୩.୧ ଓଭରରେ ୧୭ ରନ୍‌ରେ ଓପନର ସ୍ମୃତି ମନ୍ଧାନା (୪), ଜେମିମା ରୋଡ୍ରିଗୁଏଜ (୦) ଓ ଶେଫାଳି ବର୍ମା (୧୨)ଙ୍କ ଉଇକେଟ ହରାଇ ସଙ୍କଟରେ ଥିଲା। ଅଧିନାୟିକା ହରମନପ୍ରୀତ କୌର (୧୧) ଓ କ୍ରିଷ୍ଣମୂର୍ତ୍ତି (୫) ମଧ୍ୟ ଫେଲ୍‌ ମାରିଥିଲେ। ଦୀପ୍ତି (୨୧) ଓ ଶେଷ ଆଡ଼କୁ ଶିଖା ପାଣ୍ଡେ (୨୪)ଙ୍କ ଯୋଗୁ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ୧୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share