Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ପର୍ଥ, ୨୩।୨- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୪ଟି ବଲ୍‌ ବାକି ରଖି ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ୭ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୭.୪ ଓଭରରେ ୩ ଉଇକେଟ ହରାଇ ୧୩୧ ରନ କରି ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ତରଫରୁ ଓପନର ତଥା ସୋଫି ଡେଭିନ ୭୫ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ମାଡି ଗ୍ରୀନ୍‌ ୨୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ କଭିସା ଦିଲହାରି ଓ ଚମାରି ଆଟାପାଟ୍ଟୁ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଅଧିନାୟିକା ଚମାରି ଆଟାପାଟ୍ଟୁ ସର୍ବାଧିକ ୪୧, ହର୍ଷିତା ମାଡାଭି ଅପରାଜିତ ୨୭, ଓପନର ହସିନି ପେରେରା ୨୦, ଅନୁଷ୍କା ସଞ୍ଜୀବନୀ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେଲି ଜେନସେନ ସର୍ବାଧିକ ୩, ଆମେଲିଆ କେର ଦୁଇଟି ଉଇକେଟ ନେଇଥିଲେ।
ଥାଇଲାଣ୍ଡ ୭ ଉଇକେଟରେ ପରାସ୍ତ
ଶନିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୨୦ଟି ବଲ୍‌ ବାକି ରଖି ୭ ଉଇକେଟରେ ଥାଇଲାଣ୍ଡକୁ ହରାଇଛି। ଟସ୍‌ ଜିତି ଥାଇଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୭୮ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ନାନପାଟ କୋଞ୍ଚାରୋଏଙ୍କାଇ ସର୍ବାଧିକ ୩୩ ଓ ନାରୁଏମୋଲ ଚାଇଓ୍ବାଇ ୧୩ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଷ୍ଟାଫାନି ଟେଲର ସର୍ବାଧିକ ୩ ଉଇକେଟ ନେଇଥିଲେ।
ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୬.୪ ଓଭରରେ ୩ ଉଇକେଟ ହରାଇ ୮୦ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଅଧିନାୟିକା ଟେଲର ଅପରାଜିତ ୨୬, ସେମାଇନ କ୍ୟାମ୍ପବେଲ୍‌ ୨୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଥାଇଲାଣ୍ଡର ସୋରାୟା ଲାତେ ଗୋଟିଏ ଉଇକେଟ ହାସଲ କରିଥିଲେ।

Share