Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ପତ୍ନୀଙ୍କ ଲାଗି ଆଗୁଆ ସ୍ବଦେଶ ଫେରିିଲେ ଷ୍ଟାର୍କ

ମେଲବୋର୍ନ,୬।୩- ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ପୋଚେପ୍‌ଷ୍ଟ୍ରୁମ ଦିନିକିଆରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ସେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବା ଲାଗି ସ୍ବଦେଶ ଗସ୍ତ କରିବେ। ଅଷ୍ଟ୍ରେଲିଆ ଦଳରେ ତାଙ୍କ ସ୍ତ୍ରୀ ଆଲିସା ହେଲି ପ୍ରତିନିଧିତ୍ୱ କରୁଛନ୍ତି। ଷ୍ଟାର୍କ ଶୁକ୍ରବାର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ର କରିବେ। ଏହା ଦ୍ୱାରା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଷ୍ଟାର୍କଙ୍କୁ ଫ୍ରେସ ହେବା ଲାଗି ସମୟ ମିଳିବ ବୋଲି ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସ୍ତ୍ରୀ ଆଲିସାଙ୍କୁ ଅଷ୍ଟ୍ରେଲିଆରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଦେଖିବାର ଷ୍ଟାର୍କଙ୍କୁ ଜୀବନରେ ଥରେ ସୁଯୋଗ ମିଳିଛି। ଏହି ଅବସରରେ ସ୍ତ୍ରୀଙ୍କୁ ସମର୍ଥନ କରିବା ଲାଗି ଆମେ ତାଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେଇଛୁ। ଏ ସମ୍ପର୍କରେ ଆମେ ବହୁ ଆଗରୁ କଥା ହୋଇଥିଲୁ। ୩ ଫର୍ମାଟରେ ଖେଳୁଥିବା ଷ୍ଟାର୍କଙ୍କୁ ମଧ୍ୟ ବ୍ରେକ ଦରକାର ଥିଲା ବୋଲି କୋଚ୍‌ ଲାଙ୍ଗର କହିଛନ୍ତି। ଆମ ନିକଟରେ ବିକଳ୍ପ ଦ୍ରୁତ ବୋଲରଙ୍କ ଅଭାବ ନାହିଁ । ଜୋଶ ହାଜେଲଉଡ, ଝେ ରିଚାର୍ଡସନ ଓ କେନ ରିଚାର୍ଡସନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକଆ ମ୍ୟାଚ୍‌ ଖେଳି ନ ଥିଲେ। ଷ୍ଟାର୍କଙ୍କ ଅନୁପସ୍ଥିତିରେ ଏମାନଙ୍କ ମଧ୍ୟରେ ଜଣେ କେହି ଖେଳିବାକୁ ସୁଯୋଗ ପାଇବେ ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ମ୍ୟାଚ୍‌ ଖେଳିଥିବା ଷ୍ଟାର୍କ ମାତ୍ର ୩ ଉଇକେଟ ନେଇପାରିଥିଲେ। ଅନ୍ୟପକ୍ଷରେ ହେଲି ବିଶ୍ୱକପ୍‌ରେ ଫର୍ମକୁ ଫେରିଛନ୍ତି। ସେ ଭାରତ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ୫୧ ଓ ବାଂଲାଦେଶ ବିପକ୍ଷରେ ୮୧ ରନ୍‌ କରିଥିଲେ। ଭାରତ ବିପକ୍ଷ ଫାଇନାଲରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବେ ବୋଲି ଆଶା କରାଯାଉଛି।

Share