Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ଭାରତ-ପାକିସ୍ତାନ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ,୧୬।୨- ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ନିଜ ନିଜର ଚୂଡ଼ାନ୍ତ ଏକାଦଶ ଚୟନ କରିବାକୁ ସୁଯୋଗ ପାଇଥାନ୍ତେ। କିନ୍ତୁ ବର୍ଷା ଲାଗି ରହିବାରୁ ଅଲାନ ବର୍ଡର ଫିଲ୍ଡର ଗ୍ରାଉଣ୍ଡରେ ପାଣି ଜମି ରହିଥିଲା ଓ ପିଚ୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆରେ ଅଭ୍ୟାସ କରିବା ପାଇଁ ଭାରତ ତ୍ରିରାଷ୍ଟ୍ରୀୟ ସିରିଜରେ ଭାଗ ନେଇଥିଲେ। ଯେଉଁଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ ଅଂଶଗ୍ରହଣ କରିଥିଲେ। ହରମନପ୍ରୀତଙ୍କ ନେତୃତ୍ୱାଧୀନ ଦଳ ତ୍ରିରାଷ୍ଟୀୟ ସିରିଜ୍‌ ଫାଇନାଲ ଖେଳିଥିଲା। ମହିଳା ଟି୨୦ ବିଶ୍ୱକପ୍‌ ଚଳିତମାସ ୨୧ ତାରିଖରୁ ଆରମ୍ଭ ହେବ। ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଆୟୋଜକ ଦଳ ଅଷ୍ଟ୍ରେଲିଆକୁ ଭେଟିବ।

Share