Categories: ଖେଳ

ମହିଳା ଟି୨୦: ଭାରତ ସିରିଜ ବିଜୟୀ

ସୁରଟ,୨।୧୦(ପି.ଟି.)- ୧୫ ବର୍ଷୀୟା ସେଫାଳି ବର୍ମାଙ୍କ ଉପଯୋଗୀ ବ୍ୟାଟିଂ ଓ ପୁନମ ଯାଦବଙ୍କ ଦମ୍‌ଦାର ବୋଲିଂ ବଳରେ ଭାରତୀୟ ମହିଳା ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୫୧ ରନରେ ପରାସ୍ତ କରିଛି। ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଓଦା ଆଉଟ ଫିଲ୍ଡ ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା ଓ ମ୍ୟାଚ୍‌କୁ ୧୭ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୪ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସେଫାଳି ସର୍ବାଧିକ ୪୬, ଜେମିମା ରୋଡ୍ରିଗୁଏଜ୍‌ ୩୩, ସ୍ମୃତି ମନ୍ଧାନା ୧୩, ଅଧିନାୟିକା ହରମନପ୍ରୀତ କୌର ୧୬ ରନ କରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୨୦ ଓ ପୂଜା ବସ୍ତ୍ରକାର ୫ ରନ କରି ଅପରାଜିତ ରହିଥିଲା। ଦକ୍ଷିଣ ଆଫ୍ରିକାର ନାଡିନ ଡି କ୍ଲର୍କ ୨ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ହରାଇ ୮୯ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ବୋଲିଂରେ ଭାରତର ପୁନମ ଯାଦବ ୩ ଓ ରାଧା ଯାଦବ ୨ ଉଇକେଟ ନେଇଥିଲେ।

Share