Categories: ଖେଳ

ମହିଳା ଟ୍ରାପରେ ରାଜେଶ୍ୱରୀଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,୧୯।୧୧(ପି.ଟି.)- ପଞ୍ଜାବର ରାଜେଶ୍ୱରୀ କୁମାରୀ ୬୩ତମ ଜାତୀୟ ଶଟଗନ ଶୁଟିଂ ଚାମ୍ପିୟନଶିପ୍‌ର ମହିଳା ଟ୍ରାପ ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଏ ନେଇ ଭାରତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ମଙ୍ଗଳବାର ସ୍ପଷ୍ଟ କରିଛି। ଯୋଗ୍ୟତା ପର୍ଯ୍ୟାୟରେ ମୋଟ ଉପରେ ୧୨୫ରୁ ରାଜେଶ୍ୱରୀ ୧୧୮ ସ୍କୋର କରିଥିଲେ। ୫ ରାଉଣ୍ଡ ବିଶିଷ୍ଟ ଇଭେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ପଞ୍ଜାବ ଶୁଟର ଯଥାକ୍ରମେ ୨୪, ୨୩, ୨୪, ୨୪ ଓ ୨୩ ସ୍କୋର କରି ଶୀର୍ଷସ୍ଥାନ ହାତେଇ ଥିଲେ। ସେ ପୂର୍ବ ରେକର୍ଡକୁ ଦୁଇ ପଏଣ୍ଟ ବ୍ୟବଧାନରେ ପଛରେ ପକାଇଛନ୍ତି। ପୂର୍ବରୁ ସୀମା ତୋମାର, ଶ୍ରେୟାସି ସିଂ ଓ ମନୀଷ କିର ୧୧୬ ସ୍କୋର କରି ଜାତୀୟ ରେକର୍ଡର ଯୁଗ୍ମ ଅଧିକାରୀ ଥିଲେ। ସୀମା ଓ ଶ୍ରେୟାସି ଇଣ୍ଡୋନେସିଆ ଅନୁଷ୍ଠିତ ଇଭେଣ୍ଟବେଳେ ରେକର୍ଡ ଅଧିକାରୀ ହୋଇଥିବାବଳେ ମନୀଷ ଜୟପୁର ଜାତୀୟ ଇଭେଣ୍ଟରେ ରେକର୍ଡ ସମକକ୍ଷ ହୋଇଥିଲେ। ସ୍ବର୍ଣ୍ଣ ପଦକ ହାତଛଡ଼ା କରିଥିଲେ ମଧ୍ୟ ମୁଁ ଜାତୀୟ ରେକର୍ଡ ଅଧିକାରୀ ହୋଇଥିବାରୁ ଗର୍ବିତ। ଏକଦା ଏହାକୁ ମୋ ବାପା ମଧ୍ୟ ହାସଲ କରିଥିଲେ। ବାପାଙ୍କୁ ସଫଳତାର ସହ ଅନୁକରଣ କରିପାରି ଥିବାରୁ ମୁଁ ବହୁତ ଖୁସୀ ବୋଲି ରାଜେଶ୍ୱରୀ କହିଛନ୍ତି। ଅନ୍ୟ ଭାରତୀୟ ଶୁଟର ଶଗୁନ ଚୌଧାରୀ ମଧ୍ୟ ପୂର୍ବତନ ଜାତୀୟ ରେକର୍ଡ(୧୧୬)ଠାରୁ ଅଧିକ ସ୍କୋର କରିଛନ୍ତି। ସେ ୧୧୭ ପଏଣ୍ଟ ସହ ରାଜେଶ୍ୱରୀଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ।

Share