Categories: ଖେଳ

ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ଅନ୍ତିମ ମ୍ୟାଚ୍‌ ଜିତିଲା ଭାରତ

ମେଲବୋର୍ନ,୮।୨- ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାଗେର୍ଟକୁ ଟିମ୍‌ ଇଣ୍ଡିଆ ୨ ବଲ ପୂର୍ବରୁ ୭ ଉଇକେଟ ହାତରେ ରଖି ହାସଲ କରିନେଇଥିଲା। ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିବା ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଓଭରରେ ଆଶଲେ ହେଲି(୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ବେଥ ମୁନି ୧୬ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟିକା ମେଗ ଲାନ୍ନିଂ ଓ ଗାର୍ଡନର ତୃତୀୟ ଉଇକେଟ ଲାଗି ୭୯ ରନ୍‌ର ଭାଗୀଦାରି କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ସହ ସ୍ପିନର ଦୀପ୍ତି ଶର୍ମା ଭାରତକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକ ଥ୍ରୁ ଦେଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ଗାର୍ଡନର ୯୩ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୧୧ ଚୌକା ଓ ୩ ଛକା ସାମିଲ ଥିଲା। ଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବୋଲିଂରେ ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ ଉଇକେଟ ନେଇଥିବାବେଳେ ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ ଓ ହର୍ଲିନ ଦେଓଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତୀୟ ଓପନର ଶେଫାଲି ବର୍ମା ଓ ସ୍ମୃତି ମନ୍ଧାନା ପ୍ରଥମ ଉଇକେଟ ପାଇଁ ୮.୨ ଓଭରରେ ୮୫ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ଶେଫାଲି (୪୯) ଅର୍ଦ୍ଧଶତକରୁ ବଞ୍ଚତ୍ତ ହୋଇଥିଲେ। କିନ୍ତୁ ମନ୍ଧାନା ୫୫, ଜେମିମା ରୋଡ୍ରିଗୁଏଜ ୩୦ ଓ ଅଧିନାୟିକା ହରମନପ୍ରୀତ କୌର(୨୦)ଙ୍କ ଯୋଗୁ ଟିମ୍‌ ଇଣ୍ଡିଆ ୧୯.୪ ଓଭରରେ ୩ ଉଇକେଟ ହରାଇ ୧୭୭ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଘରୋଇ ଦଳ ଲାଗି ଇଲିସେ ପେରି ଓ ମେଗାନ ସ୍କଟ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଏହି ବିଜୟ ସତ୍ତ୍ୱେ ଭାରତୀୟ ଦଳକୁ ଫାଇନାଲରେ ଖେଳିବା ପାଇଁ ଭାଗ୍ୟ ଉପରେ ଭରସା କରିବାକୁ ପଡ଼ିବ। ପରବର୍ତ୍ତୀ ଲିଗ୍‌ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆକୁ ଇଂଲଣ୍ଡ ହରାଇ ଦେଲେ ଭାରତ ଫାଇନାଲରେ ପ୍ରବେଶ କରିବ।

Share