Categories: ଖେଳ

ମହିଳା ତ୍ରି-ରାଷ୍ଟ୍ରୀୟ କ୍ରିକେଟ୍‌: ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ, ୬।୨ (ପି.ଟି.): ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ। ଭାରତ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତାରେ ଦୁଇ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୨ ପଏଣ୍ଟ ପାଇ ରନ୍‌ରେଟ୍‌ ଆଧାରରେ ଅଷ୍ଟ୍ରେଲିଆ ପଛକୁ ୨ୟ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍‌କୁ ଜିତି ହରମନ୍‌ପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି। ତେବେ ବ୍ୟାଟିଂ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଓପନର୍‌ ସ୍ମୃତି ମାନ୍ଧନା (୩୫) ଓ ଅଧିନାୟିକା ହର୍‌ମନପ୍ରୀତ୍‌ (୨୮)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏପରିକି ୮ଜଣ ବ୍ୟାଟ୍ସଓମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଫଳରେ ଭାରତ ଏହାର ଅନ୍ତିମ ୬ ଉଇକେଟ୍‌ ମାତ୍ର ୨୧ ରନରେ ହରାଇଥିଲା। ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତର ଦୁଇ ଷ୍ଟାର୍‌ ଖେଳାଳି ବିବେଚନା କରାଯାଉଥିବା ଶେଫାଳୀ ବର୍ମା (୫ ରନ, ୩ ବଲ) ଓ ଜେମିମା ରୋଡ୍ରିଗ୍ବେଜ (୧ ରନ, ୧୧ ବଲ୍‌) ନିରାଶ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଏହି ତ୍ରୁଟିକୁ ସୁଧାରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଭାରତ ନିକଟରୁ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ୫ ଉଇକେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ସୁପର୍‌ ଓଭରେ ଆୟୋଜକ ଅଷ୍ଟ୍ରେଲିଆକୁ ହରାଇଥିଲା। ଶୁକ୍ରବାର ମ୍ୟାଚ୍‌ରେ ଭାରତକୁ ହରାଇ ଇଂଲଣ୍ଡ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ଇଂଲଣ୍ଡ ଏହି ମ୍ୟାଚ୍‌ ଜିତିଲେ ଟେବୁଲର ଶୀର୍ଷକୁ ଉଠିବାର ସୁଯୋଗ ରହିଛି।

Share