Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ଲିଓନ,୩।୭(ଏଏଫ୍‌ପି)- ଆଲେକ୍ସ ମୋର୍ଗାନଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଚଳିତ ମହିଳା ଫିଫା ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲରେ ଆମେରିକା ୨-୧ ଗୋଲରେ ଇଂଲଣ୍ଡକୁ ହରାଇ ଦେଇଛି। ମ୍ୟାଚ୍‌ ଆରମ୍ଭରୁ ଖ୍ରିଷ୍ଟେନ ପ୍ରେସ (୧୦ମ ମିନିଟ୍‌) ହେଡର ଜରିଆରେ ଗୋଲ ଦେଇ ଆମେରିକାକୁ ୧-୦ ଗୋଲରେ ଆଗୁଆ କରାଇଥିଲେ। ଏହାର ୯ ମିନିଟ୍‌ରେ ଇଲେନ ହ୍ବାଇଟ୍‌ଙ୍କ ଗୋଲ ଯୋଗୁ ଇଂଲଣ୍ଡ ମ୍ୟାଚ୍‌କୁ ଫେରିଥିଲା। ମ୍ୟାଚ୍‌ର ୩୧ ତମ ମିନିଟ୍‌ରେ ମୋର୍ଗାନଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ପକ୍ଷରୁ ୬୯ତମ ମିନିଟ୍‌ରେ ଗୋଲ କରାଯାଇଥିଲା। ଏହାକୁ ଅଫ୍‌ସାଇଡ୍‌ ଦର୍ଶାଇ ରେଫିର ଏଡିନା ଆଲଭେସ ବାତିସ୍ତା ଗୋଲକୁ ନାକଚ କରିଥିଲେ। ମ୍ୟାଚ୍‌ରେ ଇଂଲଣ୍ଡକୁ ଫେରିବା ଲାଗି ପେନାଲ୍ଟି ଦ୍ୱାରା ୮୪ ତମ ମିନିଟ୍‌ରେ ଆଉ ଏକ ସୁଯୋଗ ମିଳିଥିଲା। କିନ୍ତୁ ଅଧିନାୟିକା ଷ୍ଟିଫ ହଗଟନ ସ୍କୋର କରିବାରେ ସଫଳ ହୋଇ ନ ଥିଲେ। ତେବେ ଇଂଲଣ୍ଡ ଦଳ ଷ୍ଟାର ଖେଳାଳି ମେଗନ ରାପିନୋଙ୍କ ଅନୁପସ୍ଥିତି ଅନୁଭବ କରିଥିଲା। ଲିଗ୍‌ ଓ କ୍ୱାର୍ଟର ଫାଇନାଲରେ ମେଗନ ମୋଟ ୪ ଗୋଲ ଦେଇଥିଲେ। କିନ୍ତୁ ୩୩ ବର୍ଷୀୟ ଫରଓ୍ବାର୍ଡ ମାଂସପେଶୀ ସମସ୍ୟା ଯୋଗୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳି ପାରି ନ ଥିଲେ। ଚଳିତ ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ସ୍ବିଡେନ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ।

Share