Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌:ସ୍କଟଲାଣ୍ଡକୁ ବିଦା କଲା ଆର୍ଜେଣ୍ଟିନା

ପାରିସ,୨୦।୬(ଏଏଫ୍‌ପି)- ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ଡି’ର ଏକ ରୋମାଞ୍ଚକ ମ୍ୟାଚ୍‌ ଡ୍ର’ ସହ ଶେଷ ହୋଇଛି। ମ୍ୟାଚ୍‌ର ୭୪ ମିନିଟ୍‌ ପର୍ଯ୍ୟନ୍ତ ୩-୦ ଗୋଲରେ ପଛୁଆ ଥିବା ପରେ ମଧ୍ୟ ଆର୍ଜେଣ୍ଟିନା ମ୍ୟାଚ୍‌କୁ ଫେରିବା ସହ ଏକ ପଏଣ୍ଟ ଅର୍ଜନ କରିପାରିଛି। ଏଥିଯୋଗୁ ୩ ମ୍ୟାଚ୍‌ରୁ ଦୁଇ ପଏଣ୍ଟ ପାଇଥିବା ଆର୍ଜେଣ୍ଟିନା ଦଳର ନକ୍‌ଆଉଟ୍‌ ରାଉଣ୍ଡକୁ ଉନ୍ନୀତ ହେବାର ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ସ୍କଟଲାଣ୍ଡର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି। ସ୍କଟଲାଣ୍ଡ ଦଳ ଲାଗି କିମ୍‌ ଲିଟଲ (୧୯ତମ ମିନିଟ୍‌), ଜେନ୍ନିଫର ବ୍ରେଟି (୪୯ତମ) ଓ ଇରିନ କର୍ଥବ୍ରଟ (୬୯ତମ) ଗୋଲ ଦେଇଥିଲେ। ଜବାବରେ ଆର୍ଜେଣ୍ଟିନାକୁ ମିଲାଗ୍ରସ ମେନେଣ୍ଡେଜ (୭୪ତମ) ପ୍ରଥମ ସଫଳତା ଆଣିଦେଇଥିଲେ। ଲି ଆଲେକ୍ସଜାଣ୍ଡର (୭୯ତମ) ଏକ ଆତ୍ମଘାତୀ ଗୋଲ ଦେଇଥିଲେ। ଶେଷରେ ଅତିରିକ୍ତ ସମୟରେ ମିଳିଥିବା ପେନାଲ୍ଟିକୁ ଫ୍ଲୋରେନ୍ସିଆ ବନ୍ସେଗୁଣ୍ଡୋ ଗୋଲରେ ପରିଣତ କରିଥିଲେ। ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିବାରୁ ଏପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟରେ ବିଜୟ ସ୍ବାଦ ଚାଖିପାରି ନ ଥିବା ନ୍ୟୁଜିଲାଣ୍ଡ, ଚିଲି, ଚାଇନା, କାମେରୁନ ଓ ଥାଇଲାଣ୍ଡ ଦଳର ପ୍ରିକ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାର ବାଟ ଫିଟିଛି। ଗ୍ରୁପ ଡି’ର ଆଉ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୨-୦ ଗୋଲରେ ଜାପାନକୁ ହରାଇ ଦେଇଛି। ଦୁଇ ଦଳ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Share