Categories: ଖେଳ

ମହିଳା ବାଇକ୍‌ ରାଲି ପ୍ରତି ଉତ୍ସାହ ବଢ଼ୁଛି

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଓମେନ୍ସ ଆଡ୍‌ଭେଞ୍ଚର କ୍ଲବ (ଓଡବ୍ଲ୍ୟୁଏସି) ଆନୁକୂଲ୍ୟରେ ଚଳିତମାସ ୨୨ ତାରିଖରେ ଏକ ମହିଳା ବାଇକ୍‌ ରାଲି ଆୟୋଜନ ହେବାକୁ ଯାଉଛି। ଏହି ରାଲି ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ରାମମନ୍ଦିର, ରୂପାଲି, ଆଚାର୍ଯ୍ୟବିହାର ଛକ ଦେଇ ରବୀନ୍ଦ୍ରମଣ୍ଡପଠାରେ ଶେଷ ହେବ। ଏହି ରାଲିରୁ ଜଣେ ଦୁଃଶାହସିକ ମହିଳାଙ୍କୁ ଚୟନ କରାଯାଇ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଟ୍ରଫି ଏବଂ ଆର୍ଥିକ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦିକା ମଧୁସ୍ମିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ଏହି ରାଲିରେ ଭାଗନେଇ ପାରିବେ। ପ୍ରତି ପ୍ରତିଯୋଗୀଙ୍କୁ ଟି-ଶାର୍ଟ ଓ କ୍ୟାପ ପ୍ରଦାନ କରାଯିବ। ଅଧିକରୁ ଅଧିକ ମହିଳା ଏହି ବାଇକ୍‌ ରାଲିରେ ଯୋଗ ଦେବାପାଇଁ ମଧୁସ୍ମିତା ଅନୁରୋଧ କରିଛନ୍ତି। ଏହି ବାଇକ୍‌ ରାଲି ପ୍ରତି ଅହେତୁକ ଆଗ୍ରହ ପ୍ରକାଶ ପାଇଛି। ବର୍ତ୍ତମାନସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ନାମ ପଞ୍ଜୀକରଣ କରି ସାରିଲେଣି। ଏତତ୍ରେ ଆମେ ବହୁତ ଖୁସି। ପ୍ରତିଯୋଗିତା ଦିନ ସକାଳ ୬ଟା ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରାଯାଇ ପାରିବ। ତେଣୁ ଏହି ସଂଖ୍ୟା ବହୁତ ବଢ଼ିବା ନେଇ ଆମେ ଆଶାବାଦୀ ବୋଲି ମଧୁସ୍ମିତା କହିଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡବ୍ଲ୍ୟୁଏସିର ପ୍ରତିଷ୍ଠାତା ସଦସ୍ୟା ନମିତା ପଣ୍ଡା, ମୀନତି ଚାଟାର୍ଜୀ, ଅନୁରାଧା ମିଶ୍ର, ଅରୁନ୍ଧତି ମିଶ୍ର ପୃଷ୍ଠପୋଷକ ନିବେଦିତା ଆଚାର୍ଯ୍ୟ, ପରାମର୍ଶଦାତା ଦିଲୀପ ଦାସ ଏବଂ ଅନିତା ପାତ୍ର, ସୁସ୍ମିତା ଧଳ, ସନ୍ଧ୍ୟା ନାୟକ, ମଞ୍ଜୁ ମିଶ୍ର, ବିନୋଦିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share