Categories: ଜାତୀୟ

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ, ବିଭିନ୍ନ ଦଳର ରାଜନେତାମାନେ ମଧ୍ୟ ମହିଳା ବିରୋଧୀ ଅପରାଧରେ ସାମିଲ ଥିବା ଜଣାଯାଏ। ଇଲେକ୍ସନ ଓ୍ବାଚ୍‌ଡଗ୍‌ ଏଡିଆର୍‌( ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ରିପୋର୍ଟ ଅନୁଯାୟୀ ଭାଜପାର ୨୧ ନେତା ମହିଳା ବିରୋଧୀ ଅପରାଧ ମାମଲାରେ ଛନ୍ଦିହୋଇ ରହିଥିବାବେଳେ କଂଗ୍ରେସର ୧୬, ଓ୍ବାଇଏସ୍‌ଆର୍‌ସିପି ୭ ଅଛନ୍ତି।
୨୦୦୯ରେ ୨ ଏମ୍‌ପିଙ୍କ ବିରୋଧରେ ଏଭଳି ମାମଲା ରହିଥିବାବେଳେ ୨୦୧୯ରେ ଏହା ବଢ଼ି ୧୯ରେ ପହଞ୍ଚିଛି। ଏବେ ୩ ଏମ୍‌ପି ଓ ୬ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ବଳାତ୍କାର ମାମଲାରେ ଫସିଥିବା ୪୧ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଟିକେଟ୍‌ ଦିଆଯାଇଥିବା ପ୍ରକାଶ। ମହିଳା ବିରୋଧୀ ହିଂସା ଓ ଅପରାଧ ମାମଲା ଚାଲିଥିବା ୬୬ ଜଣଙ୍କୁ ଭାଜପା ଟିକେଟ୍‌ ଦେଇଥିବା ଜଣାପଡ଼ିଛି। କଂଗ୍ରେସରୁ ଏଭଳି ୪୬ ଓ ବିଏସ୍‌ପିରୁ ୪୦ ପ୍ରାର୍ଥୀ ଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୭୫୯ ଏମ୍‌ପି ଓ ୪୦୬୩ ବିଧାୟକଙ୍କ ସତ୍ୟପାଠ ତର୍ଜମା କରାଯିବା ପରେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ବିଗତ ଲୋକ ସଭା ନିର୍ବାଚନରେ ଏଭଳି ୩୮ ପ୍ରାର୍ଥୀ ଜନମତ ଲୋଡ଼ିଥିଲେ।
ପଶ୍ଚିମବଙ୍ଗରେ ଏଭଳି ସର୍ବାଧିକ ଏମ୍‌ପି ଓ ବିଧାୟକ(୧୬) ରହିଥିବାବେଳେ ଓଡ଼ିଶା ଓ ମହାରାଷ୍ଟ୍ରରେ ୧୨ ଲେଖାଏ ବିଧାୟକ ଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ମୋଟ ୫୭୨ ଏଭଳି ପ୍ରାର୍ଥୀ ଲୋକ ସଭା, ରାଜ୍ୟ ସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିବା କୁହାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ପକ୍ଷରୁ ଏଭଳି ୪୧୦ ପ୍ରାର୍ଥୀଙ୍କ ମଧ୍ୟରୁ ଲୋକ ସଭା ଓ ରାଜ୍ୟ ସଭାକୁ ୮୯ ମନୋନୀତ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ମହିଳା ବିରୋଧୀ ଅପରାଧ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୫, ବିହାରରେ ୭୫ ଜଣଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share