Categories: ମେଟ୍ରୋ

ମହିଳା ବିରୋଧୀ ହିଂସା ରୋକିବାକୁ ପ୍ରୟାସ : ଅନ୍ତର୍ଜାତୀୟ ସ୍ତରରେ ହେବ ‘କନ୍ୟା କିରଣ’

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ପକ୍ଷରୁ ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ଆୟୋଜିତ ସଚେତନତା ଅଭିଯାନ ‘କନ୍ୟା କିରଣ’ର ୩ୟ ସଂସ୍କରଣ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନ କରାଯିବାକୁ ଥିବାବେଳେ ମହିଳା ବିରୋଧୀ ହିଂସା କିଭଳି ରୋକାଯାଇପାରିବ, ସେ ନେଇ ଲୋକଙ୍କୁ ସଚେତନ କରାଯିବ। ଆଗାମୀ ବର୍ଷଠାରୁ ‘କନ୍ୟା କିରଣ’କୁ ବିଶ୍ୱବ୍ୟାପକ କରିବା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯିବ ବୋଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଯୋଗଦେଇ କହିଥିଲେ, ନାରୀ ସଭ୍ୟତାର ଅଗ୍ରଗତି ନିମନ୍ତେ କନ୍ୟା କିରଣ ଏକ ଭଲ ପରିକଳ୍ପନା। ସାମାଜିକ ବିକାଶ କ୍ଷେତ୍ରରେ ଏହା ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିପାରିଛି। ସମାଜରେ ନାରୀର ଗୁରୁତ୍ୱ ଲୋକମାନେ ବୁଝି ପାରୁଥିଲେ ବି ଆହୁରି ସଚେତନତାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସମ୍ପାଦକ ଆର୍‌.ଏନ୍‌. ଦାଶ କହିଲେ, ନାରୀକୁ ଆବାହମାନ କାଳରୁ ସମାଜରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ମାତ୍ର ଆଧୁନିକ ସମାଜ ନାରୀର ମର୍ଯ୍ୟାଦାକୁ ଭୁଲିଯିବାର ଯେଉଁ ମାନସିକତାରେ ଆକ୍ରାନ୍ତ ହୋଇଛି, ତାହାକୁ ଦୂର କରିବାର ଆବଶ୍ୟକତା ରହିଛି। ସମାଜରେ ନାରୀଙ୍କ ପ୍ରତି ଲୋକଙ୍କର ଥିବା ମାନସିକତାକୁ ପରିବର୍ତ୍ତନ କରାଯିବା ଉଚିତ ବୋଲି ସେ କହିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ କହିଥିଲେ, ବିଶ୍ୱ ଏବେ ପ୍ରକୃତି, ମାନବ ଓ ପ୍ରଯୁକ୍ତିବିଦ୍ୟା ଭଳି ୩ ମୁଖ୍ୟ ବ୍ୟବସ୍ଥା ଦେଇ ସନ୍ତୁଳିତ ଭାବେ ଗତି କରୁଛି। ଏଥିମଧ୍ୟରୁ କୌଣସିଟିରେ ତାରତମ୍ୟ ଦେଖାଦେଲେ ସମଗ୍ର ଜଗତ ଅସନ୍ତୁଳିତ ହୋଇଯାଏ। ସେଥିପାଇଁ ପ୍ରତ୍ୟେକଟି ସହ ଉପଯୁକ୍ତ ସମନ୍ବୟ ରକ୍ଷା କରି ବିଶ୍ୱକୁ ସନ୍ତୁଳିତ ରଖିବାକୁ ହେବ। ଚଳିତବର୍ଷ ‘କନ୍ୟା କିରଣ’ ବିଷୟବସ୍ତୁ ଉପରେ କିଟ୍‌ ଓ କିସ୍‌ର ୩ ହଜାର ମହିଳା କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

Share