Categories: ଜାତୀୟ

ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ

କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ମୋହିନୀ ମଣ୍ଡଳ(୨୫) ନାମ୍ନୀ ଏହି ମହିଳାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର କୋଲକାତାର ସଲ୍ଟ ଲେକ୍‌ ଅଞ୍ଚଳରେ। କୋଲକାତାରୁ ବିମାନଟି ଉଡ଼ାଣ କରିବାର ୪୦ ମିନିଟ ପରେ ସେ ଏକ ଲେଖା ପାଇଲଟ୍‌ଙ୍କ ପାଖକୁ ପଠାଇଥିଲେ । ସେଥିରେ ଲେଖାଥିଲା, ତାଙ୍କ ଶରୀରରେ ବୋମା ଖଞ୍ଜାଯାଇଛି ଓ ଯେକୌଣସି ମୁହୂର୍ତ୍ତରେ ସେ ଏହାକୁ ବିସ୍ଫୋରଣ କରିପାରିବେ। ସଙ୍ଗେସଙ୍ଗେ କୋଲକାତା ବିମାନବନ୍ଦରରେ ଜରୁରୀ ସ୍ଥିତି ଜାରି ହୋଇଥିଲା। ବିମାନଟି ଜରୁରୀ ଅବତରଣ କରାଯାଇଥିଲା।

Share