Categories: ଖେଳ

ମହିଳା ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଇଦୁଲଜୀ, ଶାନ୍ତାଙ୍କ ଆପତ୍ତି

ନୂଆଦିଲ୍ଲୀ,୧୯।୧୦(ପି.ଟି.)- କ୍ରିକେଟ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଏନା ଇଦୁଲଜୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଆପେକ୍ସ କାଉନ୍‌ସିଲ ସଦସ୍ୟା ଶାନ୍ତା ରଙ୍ଗାସ୍ବାମୀ ଭାରତୀୟ ମହିଳା କ୍ରିକେଟ ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଅସନ୍ତୋଷ ଜାହିର କରିବା ସହ ଆପତ୍ତି ଉଠାଇଛନ୍ତି। ଷ୍ଟାଫ୍‌ଙ୍କ ନିଯୁକ୍ତି ଅଣ ସାମ୍ବିଧାନିକ ବୋଲି ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ରାହୁଲ ଜୋହରୀଙ୍କୁ ଏହି ଦୁଇ ମହିଳା ପ୍ରଶାସିକା ଚିଠି ଲେଖି ଜଣାଇଛନ୍ତି।
କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର (ଜିଏମ୍‌) ସବା କରିମ ମହିଳା କ୍ରିକେଟର ଇନ୍‌ ଚାର୍ଜ ଅଛନ୍ତି ଓ ତାଙ୍କୁ ଏହି ନିଯୁକ୍ତି ନେଇ ଦାୟୀ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ହେମଲତା କାଲାଙ୍କ ନେତୃତ୍ୱାଧୀନ ଚୟନ କମିଟି ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅଣଦେଖା ହେଉଥିବାର ଅଭିଯୋଗ ଆଣି ସିଇଓଙ୍କୁ ଚିଠି ଲେଖିଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ ଚୟନକର୍ତ୍ତାମାନେ ହିଁ ପୁରୁଷ ଓ ମହିଳା ଦଳ ପାଇଁ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରିଥାନ୍ତି। ଏହି ପ୍ରକ୍ରିୟା ପୁରୁଷ ଦଳ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅନୁସରଣ କରାଯାଇଥିଲା। ମହିଳା ଦଳର ବୋଲିଂ ଓ ଫିଲ୍ଡିଂ କୋଚ୍‌ ନିଯୁକ୍ତିରେ ଚୟନକର୍ତ୍ତାଙ୍କୁ ଅନ୍ଧାରରେ ରଖାଯାଇଥିଲା। କେବଳ ମାତ୍ର ଭିଡିଓ ଆନାଲିଷ୍ଟ ସାକ୍ଷାତକାର ନେବାକୁ କୁହାଯାଇଥିଲା ଓ ଏହି ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରକରଣରେ ନିୟମର ଉଲ୍ଲଂଘନ ହୋଇଛି ବୋଲି ଇଦୁଲଜୀ ଓ ରଙ୍ଗାସ୍ବାମୀ କହିଛନ୍ତି। ଏନ୍‌ସିଏ ବୋଲିଂ କୋଚ୍‌ ନରେନ୍ଦ୍ର ହିରଓ୍ବାନୀ ଓ ଟି. ଦିଲୀପ ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍‌ ହିସାବରେ ଭାରତୀୟ ଦଳ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବେ। ଏହି ବିବାଦରେ ସବା କରିମ୍‌ଙ୍କୁ ମୁଖ୍ୟ ବୋଲି କୁହାଯାଉଥିବା ବେଳେ ସେ କିଛି ମତାମତ ଦେଇନାହାନ୍ତି। ସିଇଓଙ୍କୁ ଇମେଲ୍‌ ପଠାଯାଇଥିବାରୁ ସେ ହିଁ ଏ ସଂକ୍ରାନ୍ତରେ କିଛି କହିପାରିବେ ବୋଲି କରିମ କହିଛନ୍ତି।

Share