ମହିଳା ସରପଞ୍ଚଙ୍କୁ ଅସଦାଚରଣ, ଆକ୍ରମଣ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ମହିଳା ସରପଞ୍ଚଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ ପୋଲିସ ସୋମବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସୁଣ୍ଢିପଲ୍ଲୀ ଗାଁର ଡାକ ସ୍ବାଇଁ।
ପ୍ରକାଶ ଯେ, ମହିଳା ସରପଞ୍ଚ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ କୋଭିଡ-୧୯ ସମ୍ପର୍କିତ କାର୍ଯ୍ୟକ୍ରମ ତଦାରଖ କରୁଥିଲେ। ଶନିବାର ଅଭିଯୁକ୍ତ ଡାକ ସଙ୍ଗରୋଧ କେନ୍ଦ୍ରରେ ଜାରି ହୋଇଥିବା ୧୪୪ ଧାରାକୁ ଉଲ୍ଲଂଘନ କରି କେନ୍ଦ୍ର ମଧ୍ୟକୁ ଜବରଦସ୍ତ ଧସେଇ ପଶି ସେଠାରେ ଥିବା ଜଣେ ଅନ୍ତେବାସୀଙ୍କୁ କିଛି ଖାଦ୍ୟଦ୍ରବ୍ୟ ଓ ମଦ ପାଉଚ ଦେବାକୁ ଉଦ୍ୟମ କରିଥିଲେ। ମହିଳା ସରପଞ୍ଚ ଏହି ବେଆଇନ କାମକୁ ବାରଣ କରିବାରୁ ଡାକ ଉତ୍ତେଜିତ ହୋଇ ତାଙ୍କୁ ଅସଦାଚରଣ କରିବାସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏ ନେଇ ସରପଞ୍ଚଙ୍କ ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ଥାନାରେ ଏକ ମାମଲା (ନଂ.୧୨୭/୨୦) ରୁଜୁ କରି ତଦନ୍ତ ଚଳାଇଥିଲେ।