Categories: ଖେଳ

ମହିଳା ହକି ସିରିଜ: ଅନ୍ତିମ ମ୍ୟାଚ୍‌ରେ ହାରିଲା ଭାରତ

ଜିନ୍‌ଚେଓନ(କୋରିଆ),୨୪।୫ (ପି.ଟି.)- ଭାରତୀୟ ମହିଳା ହକି ଦଳ ଘରୋଇ ଦକ୍ଷିଣ କୋରିଆକୁ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ କରି ସିରିଜ ବିଜୟୀ ହୋଇଥିଲେ ମଧ୍ୟ ତୃତୀୟ ତଥା ଅନ୍ତିମ ମୁକାବିଲାରେ ପରାସ୍ତ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ କୋରିଆଠାରୁ ୪-୦ ଗୋଲରେ ଭାରତ ପରାସ୍ତ ହୋଇଛି। ଫଳରେ କୋରିଆ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି।
ଏହାପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ୨-୧ରେ ଅଗ୍ରଣୀ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଡିଫେନ୍ସ ଚାପରେ ଥିଲା। ଏହା ସୁଯୋଗ ନେଇ କୋରିଆ ଖେଳାଳି ଭାରତୀୟ ସର୍କଲକୁ ପ୍ରବେଶ କରି ଶଟ୍‌ ମାରି ଗୋଟିଏ ପରେ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଘରୋଇ ଦଳ ୫ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ୨୯ତମ ମିନିଟ୍‌ରେ ଗୋଟିଏକୁ ଗୋଲରେ ପରିଣତ କରିଥିଲେ। ଜାଙ୍ଗ ହିସାନ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୪୧ତମ ମିନିଟ୍‌ରେ କିମ୍‌ ହ୍ୟୁଞ୍ଜି ଓ କାଙ୍ଗ ଜିନା କ୍ରମାଗତ ଦୁଇଟି ଗୋଲ ଦେଇଥିଲେ। ୩ଟି ଗୋଲ ବରଣ କରିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିଥିଲା। ଫଳରେ ଭାରତ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲା। ଶେଷରେ କୋରିଆର ଲି ୟୁରି ୫୩ ମିନିଟ୍‌ରେ ଗୋଲ ଦେଇ ଦଳକୁ ୪-୦ରେ ବିଜୟୀ କରାଇଥିଲେ।
ପରାସ୍ତ ହୋଇଥିଲେ ମଧ୍ୟ ଆମ ଖେଳାଳି ବହୁତ କିଛି ଶିକ୍ଷା କରିଛନ୍ତି ବୋଲି ଭାରତୀୟ ମୁଖ୍ୟ କୋଚ୍‌ ଜୋଏର୍ଡ ମାରିଜନେ କହିଛନ୍ତି। ଦକ୍ଷିଣ କୋରିଆ ମଧ୍ୟ ଏକ ଉଚ୍ଚକୋଟୀର ଦଳ। ଏହି ମ୍ୟାଚ୍‌ରେ ଦକ୍ଷିଣ କୋରିଆ ଆମଠାରୁ ଅପେକ୍ଷାକୃତ ଅଧିକ ଭଲ ପ୍ରଦର୍ଶନ କରିଥିଲା। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆମେ ଭଲ ଖେଳିଥିଲୁ। ଆଗକୁ ହିରୋସିମାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ମେଗା ଇଭେଣ୍ଟ ପାଇଁ ଆମକୁ ପ୍ରସ୍ତୁତି ଆହିରୁ ଜୋରଦାର କରିବାକୁ ହେବ ବୋଲି ମାରିଜନେ କହିଛନ୍ତି।

Share