Categories: ଖେଳ

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ୪-୦ ଗୋଲରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।
ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ପ୍ରଥମ କ୍ୱାର୍ଟରର ୩ୟ ମିନିଟରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନର (ପିସି)। ଏହାକୁ ମେଗାନ ହଲ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଭାରତକୁ ମିଳିଥିବା ପିସିକୁ ଓଡ଼ିଆ ଖେଳାଳି ସାଲିମା ଗୋଲରେ ପରିଣତ କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ଦୁଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଖେଳାଳି ଭାରତୀୟ ଡିଫେନ୍ସ ଭାଗରେ ପ୍ରବେଶ କରିପାରି ନ ଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଡିଫେନ୍ସ ଭାଗର ଖେଳାଳିଙ୍କ ତ୍ରୁଟି ଯୋଗୁ ଘରୋଇ ଦଳକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ। ବିନା କୌଣସି ତ୍ରୁଟି ନ କରି ମେଗାନ ଗୋଲ ଦେଇଥିଲେ। ଏହି ଗୋଲକୁ ଭାରତ ପରିଶୋଧ କରିପାରି ନ ଥିଲା। ପରାଜୟରେ ଭାରତୀୟ କୋଚ୍‌ ଜୋର୍ଡ ମାରିଜନେ ନିରାଶା ଜାହିର କରିଛନ୍ତି। ଆମେ ବହୁ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲୁ। ମାତ୍ର ସ୍କୋର କରିବାରେ ବିଫଳ ହେଲୁ। ଆମ ଅପେକ୍ଷା ନ୍ୟୁଜିଲାଣ୍ଡ ଖେଳାଳି ନିଜ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିଲେ। ଆରମ୍ଭରୁ ଆମେ ସଂଘର୍ଷ କରୁଥିଲୁ। ପ୍ରଥମ କ୍ୱାର୍ଟର ପରେ ମ୍ୟାଚ୍‌କୁ ଫେରି ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ୮ ଶଟ ମାରିଥିଲୁ ଓ ୪ ପିସି ମଧ୍ୟ ହାସଲ କରିଥିଲୁ। କେବଳ ସୁଯୋଗ ସୃଷ୍ଟି କଲେ ହେବ ନାହିଁ। ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡ଼ିବ। ସିରିଜ୍‌ର ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।

Share