Categories: ଖେଳ

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ ଶନିବାର ସକାଳେ କୋରିଆ ଅଭିମୁଖେ ଯାତ୍ରା କରିଛି। ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଆଶା ପ୍ରକାଶ କରିଛନ୍ତି। କାନ୍ଧରେ ଆଘାତପ୍ରାପ୍ତ ଯୋଗୁ ପୂର୍ବରୁ ମାଲେସିଆ ସିରିଜରେ ଖେଳିପାରି ନ ଥିଲେ। ସେହିପରି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ଡ୍ରାଗ୍‌ ଫ୍ଲିକର ଗୁରଜିତ୍‌ କୌର ମଧ୍ୟ ଏହି ସିରିଜରେ ସାମିଲ ହୋଇ ପାରି ନ ଥିଲେ। ଆଗକୁ ହିରୋସିମାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି କ୍ଷେତ୍ରରେ ଏହି ସିରିଜ ବେଶ୍‌ ଉପଯୋଗୀ ହେବ ବୋଲି ରାଣୀ ପ୍ରକାଶ କରିଛନ୍ତି। ରିହାବିଲିଟେଶନରୁ ଫେରିଥିବାରୁ ଏହି ସିରିଜ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରଜିତ୍‌ କହିଛନ୍ତି। ଅନ୍ୟପକ୍ଷରେ ରାଣୀ କହିଛନ୍ତି, ନିକଟରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରେ ଆମକୁ ସର୍କଲ ଭିତରେ କିପରି ବିବିଧତା ସୃଷ୍ଟି କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଛି। ଏହି ପଦ୍ଧତିକୁ ଆମେ କୋରିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଚେଷ୍ଟା କରି ଦେଖିବୁ। ମହିଳା ସିରିଜ ଫାଇନାଲ୍ସ ହିରୋସିମା ୨୦୧୯ ଆସନ୍ତା ମାସ ୧୫ରୁ ୨୩ ତାରଖ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷ ଆରମ୍ଭ ଜାନୁୟାରୀ-ଫେବୃୟାରୀରେ ଭାରତୀୟ ଦଳ ସ୍ପେନ ଗସ୍ତ କରିଥିଲା। ସେଠାରେ ଦଳ ଆୟୋଜକ ଦେଶ ବ୍ୟତୀତ ଆୟର୍ଲାଣ୍ଡ ବିପକ୍ଷରେ ଖେଳିଥିଲା। ଭାରତ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ତିନୋଟି ଡ୍ର ରଖିବାରେ ସକ୍ଷମ ହୋଇଥିଲା ଏବଂ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା। ଦଳ ଏପ୍ରିଲରେ ମାଲେସିଆ ଟୁର୍‌ରେ ଯାଇଥିଲା ଏବଂ ଅପରାଜିତ ରହିଥିଲା। ଚାରୋଟିରେ ବିଜୟ ଲାଭ କରିଥିବାବେଳେ ଗୋଟିଏ ଡ୍ର ରଖିଥିଲା।

Share