Categories: ଖେଳ

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ ଧରି ବିଦେଶ ମାଟିରେ ଲଗାତର ସଫଳତା ହାସଲ କରିବା ପରେ ୧୪ ବର୍ଷୀୟ ମହୀତୋଷଙ୍କୁ ଏହି ଟାଇଟଲ୍‌ ମିଳିଛି। ବର୍ତ୍ତମାନ ତାଙ୍କର ୟେଲୋ ରେଟିଂ ପଏଣ୍ଟ ୨୩୧୬ ରହିଛି। ଇତିମଧ୍ୟରେ ମହୀତୋଷ ଦୁବାଇ ଓପନ୍‌, ଶାରଜା ଓପନ୍‌, ଆବୁଧାବି ଓପନ୍‌, ମାଲେସିଆ ଓପନ୍‌, ରୋମ୍‌ ଓପନ୍‌, ସନ୍‌ଓ୍ବେ ସିଟ୍‌ଜେସ ଓପନ୍‌, ରୋକଲୋ ମାଷ୍ଟର୍ସ କପ୍‌, ସ୍ଲିମବର୍ଗ ମାଷ୍ଟର୍ସ କପ୍‌, ଭିଏନା ଓପନ୍‌, ଇନ୍‌ସବ୍ରୁକ ଓପନ୍‌ରେ ଅଂଶଗ୍ରହଣ କରି ନିଜର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ନିଜ ଦକ୍ଷତା ବଢ଼ାଇବା ସହ ସେ ଫିଡେ ମାଷ୍ଟର ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୨ରେ ଜାତୀୟ ଚେସ୍‌ରେ ରନର୍ସଅପ୍‌ ହୋଇ ମହୀତୋଷ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଥିଲେ। ‘ଆଗକୁ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ସହ ଆଇଏମ୍‌ ଓ ଜିଏମ୍‌ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି’ ବୋଲି ମହୀତୋଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ବର୍ତ୍ତମାନ ଗ୍ରାଣ୍ଡମାଷ୍ଟର ସ୍ବୟଂସୁ ମିଶ୍ର ଓ ଫାରୁକ୍‌ ଅମାନଟୋଭଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି। ଭବିଷ୍ୟତରେ ଦେଶ ବିଦେଶରେ ଖେଳି ଓଡ଼ିଶା ତଥା ଦେଶର ସୁନାମ ବୃଦ୍ଧି କରିବାକୁ ଇଚ୍ଛୁକ ଥିବା ମହୀତୋଷ ଏଥିପାଇଁ ରାଜ୍ୟ ସରକାର ତଥା ଅନ୍ୟ ପ୍ରାୟୋଜକଙ୍କର ସହାୟତା ଲୋଡ଼ିଛନ୍ତି।

Share