Categories: ଅନୁଗୋଳ

ମହୀଧରପୁର ସାପ୍ତାହିକ ହାଟ : ଛାଇ ନାହିଁ କି ନିର୍ମାଣ ହେଉନି ପିଣ୍ଡି

ବଅଁରପାଳ, ୧୩।୬ (ଡି.ଏନ୍‌.ଏ) – ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ମହୀଧରପୁରର ସାପ୍ତାହିକ ହାଟ। ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ସତ୍ତ୍ୱେ ସୁଧୁରିପାରୁନି ହାଟର ଅବସ୍ଥା। ଖୋଲା ଆକାଶ ତଳେ ଖରାତରାରେ ବ୍ୟବସାୟୀମାନେ ବସୁଥିବାବେଳେ ଆଜି ପର୍ଯ୍ୟନ୍ତ ସେଠାରେ ପିଣ୍ଡିଟିଏ ବି ନିର୍ମାଣ ହୋଇପାରିନି। ଏହାକୁ ନେଇ ଉଭୟ ବ୍ୟବସାୟୀ ଓ ହାଟ ଉପରେ ନିଭର୍ର୍ର କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି।
ଦୀର୍ଘ ୩୦ ବର୍ଷର ହାଟଟି ଏପରି ଅବ୍ୟବସ୍ଥାରେ ଚାଲୁଥିଲେ ମଧ୍ୟ ଏହାର ସାମାନ୍ୟ ଉନ୍ନତି ପାଇଁ କାହାରି ଦୃଷ୍ଟି ପଡୁନି। ପ୍ରତି ଶୁକ୍ରବାର ସକାଳୁ ଖୋଲୁଥିବା ଏହି ହାଟ ଉପରେ ବନ୍ତଳା, ମାଧପୁର, ପୋକତୁଙ୍ଗା, ତଳମୂଳ, କୁରୁମିଠା, ହାତୁରା, କଁସରା, ଫୁଲପଡ଼ା, ମହୀଧରପୁର ସମେତ ଆଖପାଖ ଅଞ୍ଚଳର ଲୋକେ ପନିପରିବା ସହ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ନିର୍ଭର କରିଥାନ୍ତି। ଏଥିରୁ ବର୍ଷକୁ ଲକ୍ଷାଧିକ ଟଙ୍କା ମଧ୍ୟ ସରକାରଙ୍କ ତହବିଲକୁ ଯାଉଛି। ହେଲେ ତାହା ହାଟର ଉନ୍ନତୀକରଣରେ ଲାଗୁ ନ ଥିବା ଅଭିଯୋଗ କରିଛନ୍ତି କେତେଜଣ ବ୍ୟବସାୟୀ। ବ୍ୟବସାୟୀଙ୍କ ବସିବା ପାଇଁ ଏଠାରେ ଆବଶ୍ୟକ ପିଣ୍ଡି ନାହିଁ। ଯେଉଁ କେତୋଟି ପିଣ୍ଡି ଅଛି ସେଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ବ୍ୟବସାୟୀମାନେ ଖରା ଓ ବର୍ଷାରେ ବହୁ ସମସ୍ୟାରେ ବ୍ୟବସାୟ କରୁଛନ୍ତି। ଏପରିକି ଜାଗା ଅଭାବରୁ କେତେକ ବ୍ୟବସାୟୀ ଅନୁଗୋଳ-ମହୀଧରପୁର ରାସ୍ତା ପାର୍ଶ୍ୱରେ ବସୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଅନ୍ୟପକ୍ଷରେ ଏଠାରେ ପାନୀୟ ଜଳର ସୁବିଧା ଓ ଶୌଚାଳୟ ମଧ୍ୟ ନାହିଁ। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏଠାରେ ବ୍ୟବସାୟମାନଙ୍କ ସୁବିଧା ପାଇଁ ୧୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ନିର୍ମିତ ହୋଇଛି। କିନ୍ତୁ ଏହି ଦୋକାନଗୁଡ଼ିକ ମଧ୍ୟ ଧିରେ ଧିରେ ଶୋଚନୀୟ ଅବସ୍ଥାକୁ ଆସିଗଲାନି।
ବ୍ୟବସାୟୀ ସଞ୍ଜୟ ସାହୁ, ସର୍ବ ଗୋଚ୍ଛାୟତ, ଅଭୟ ସାହୁ ପ୍ରମୁଖ କୁହନ୍ତି, ଏହି ହାଟରେ ବହୁ ସମସ୍ୟା ରହିଛି। ଆବଶ୍ୟକ ପିଣ୍ଡି ନ ଥିବାରୁ ଖୋଲା ଆକାଶ ତଳେ ବସିବାକୁ ପଡୁଛି। ମହିଧରପୁର ସରପଞ୍ଚ ବିନୋଦ ବେହେରା କୁହନ୍ତି, ପୂବର୍ର୍ରୁ ପଞ୍ଚାୟତ ଅଧୀନରେ ଏହି ହାଟ ଚାଲିଥିଲା। ପରେ ଏହାର ପରିଚାଳନା ଦାୟିତ୍ୱ ନିୟନ୍ତ୍ରିତ ବଜାର କମିଟି ତୁଲାଉଛନ୍ତି। ସମସ୍ତ ଉନ୍ନତୀକରଣ କାମ କେବଳ କାଗଜ କଲମରେ ସୀମିତ ରହିଯାଉଛି। ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସନ୍ତୋଷ ପ୍ରଧାନ କହିଛନ୍ତି, ହାଟର ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରାଯିବ। ଏହାର କିଭଳି ସମାଧାନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।