Categories: ରାଜ୍ୟ

ମହୀପୁରକୁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ୍‌: ଅନୁଧ୍ୟାନ କରିବେ ରେଳ ସୁରକ୍ଷା ଆୟୁକ୍ତ

ନୟାଗଡ଼ ଅଫିସ,୨୫ା୭: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନକୁ ପରୀକ୍ଷାମୂଳକ ଭାବେ ଗୁରୁବାର ଗଡ଼ିବ ଟ୍ରେନ୍‌। ଏହାକୁ ଅନୁଧ୍ୟାନ କରିବା ପାଇଁ ଗୁରୁବାର ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ୍‌) ନୟାଗଡ଼କୁ ଆସିବେ। ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ପର୍ଯ୍ୟନ୍ତ ୧୨ କି.ମି. ନୂତନ ଭାବେ ବିଛା ଯାଇଥିବା ବ୍ରଡଗେଜ୍‌ ଲାଇନ୍‌ ନିରୀକ୍ଷଣ କରିବେ। ଏହି ସମୟରେ ଟ୍ରେନ୍‌ ଲାଇନ୍‌କୁ ଗୃହପାଳିତ ପ୍ରାଣୀଙ୍କୁ ନ ଛାଡ଼ିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଷ୍ଟେଶନ ମାଷ୍ଟର ଏସ୍‌ କେ ଦାଶଙ୍କଠାରୁ ମିଳିଥବା ସୂଚନା ଅନୁସାରେ ରେଳ ସୁରକ୍ଷା ଆୟୁକ୍ତ ପୂର୍ବାହ୍ନ ୧୦ଟା ୩୦ରେ ନୟାଗଡ଼ରେ ପହଞ୍ଚତ୍ବେ। ଏହା ପରେ ୧୧ଟାରେ ନୟାଗଡ଼ ଟାଉନ ଷ୍ଟେଶନଠାରୁ ୧୦ ବଗି ବିଶିଷ୍ଟ ରେଳ ଇଞ୍ଜିନ ଯିବ। ଏହା ପଛରେ ୫ଟି ଟ୍ରଲିରେ ରେଳ ସୁରକ୍ଷା ଆୟୁକ୍ତଙ୍କ ସମେତ ଅଧିକାରୀମାନେ ଅନୁଧ୍ୟାନ କରି ଯିବେ। ମହୀପୁରରେ ୧ଟା ୩୦ରେ ଅଧିକାରୀମାନେ ପହଞ୍ଚତ୍ବେ। ଏହା ପରେ ୧ଟା ୪୦ରେ ସେଠାରୁ ଟ୍ରେନ୍‌ ଛାଡ଼ି ୧ଟା ୫୦ରେ ଟ୍ରେନ୍‌ ନୟାଗଡ଼ ଟାଉନ ଷ୍ଟେଶନକୁ ଫେରିବ। ରେଳ ସୁରକ୍ଷା ଆୟୁକ୍ତ ଗ୍ରୀନ୍‌ ସିଗନାଲ୍‌ ଦେବା ପରେ ରେଳ ଚଳାଚଳ କରାଯିବ। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ପରୀକ୍ଷାମୂଳକ ଭାବେ ନୟାଗଡ଼ ଟାଉନ ଷ୍ଟେଶନରୁ ମହୀପୁର ପର୍ଯ୍ୟନ୍ତ ରେଳ ଇଞ୍ଜିନ ଚଳାଚଳ କରିଥିଲା। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୮୦ କିଲୋମିଟର ରେଳ ଚଳାଚଳ କରୁଥିବା ବେଳେ ଗୁରୁବାର ଅନୁଧ୍ୟାନ ପରେ ଆଉ ୧୨ କିଲୋମିଟରରେ ଚଳାଚଳ ହେବ।

Share