‘ମହୀୟସୀ ନନ୍ଦିନୀ ଦେବୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ’

ଭଦ୍ରକ ଅଫିସ,୧୦ା୬-ମଙ୍ଗଳବାର ଭଦ୍ରକ ‘ଧରିତ୍ରୀ’ ଜିଲା କାର୍ଯ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। କରୋନା କଟକଣା କାରଣରୁ ନନ୍ଦିନୀ ଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନନ୍ଦିନୀ ଦେବୀଙ୍କ ବହୁମୁଖୀ ପ୍ରତିଭା ଓ ରାଜନୈତିକ ଦକ୍ଷତା ସମ୍ପର୍କରେ ମନେ ପକାଇଥିଲେ। ଅନ୍ୟତମ ଅତିଥି ଭାବେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ସାହିତ୍ୟ ଏବଂ ରାଜନୀତି କ୍ଷେତ୍ରରେ ନନ୍ଦିନୀଦେବୀଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଗଦାଧର ବଳ, ରୋଟାରିଆନ ଅତିଶ ବେହେରା, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସୁରଜିତା ନାୟକ, ଛାତ୍ରନେତା ସ୍ବାଧୀନ ସୁନ୍ଦର ଦାସ, ଯୁବ ସଙ୍ଗଠକ ଚନ୍ଦନ ଦାସ, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।