Advertisement

ଭବାନୀପାଟଣା/କୋକସରା,୨୭।୪(ସ୍ବ.ପ୍ର/ଡି.ଏନ.ଏ.): ମହୁଲ ଫୁଲର ବାସ୍ନାରେ ମହକୁଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଟାଣ ଖରା ବଡିବା ସାଙ୍ଗକୁ ମହୁଲ ଗଛରୁ ଠପ୍‌ଠପ୍‌ ଝରି ପଡୁଛି ପଡୁଛି ଫୁଲ। ପାହାନ୍ତିଆରୁ ମହୁଲ ଫୁଲ ଗୋଟାଇବାକୁ ଭିଡ ଜମାଉନ୍ତି ଆଦିବାସୀ ପରିବାରର ମହିଳା ଓ ପିଲାଛୁଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲକୁ ଲାଗି ରହିଥିବା ଆମପାଣି, ବରାଡଙ୍ଗା, ବଡ଼ପୋଡାଗୁଡା,ମହିମା, ଗୋତମୁଣ୍ଡା, ପୋଡାଗୁଡା, ଡୁଡୁକାଠେଙ୍ଗା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମରେ। ତେବେ ମହୁଲ ଫୁଲ ବିକ୍ରି ଉପରେ ଏହି ସମୟରେ ପ୍ରତିବନ୍ଧକ ସାଜିଛି ଲକ୍‌ଡାଉନ। ଏହି ଅଞ୍ଚଳରେ ସାଧାରଣତଃ ମଦଭାଟିଗୁଡିକ ମହୁଲ ଫୁଲ କିଣିଥାନ୍ତି। ଲକ୍‌ଡାଉନ ଯୋଗୁ ମଦଭାଟି ସବୁ ବନ୍ଦ ରହିଥିବାରୁ ମହୁଲ ଫୁଲ କେହି କିଣୁ ନାହାନ୍ତି। ଏହିସ୍ଥିତିରେ ଅଭାବରେ ଦିନ କାଟୁଥିବା ଆଦିବାସୀ ପରିବାର ପାଇଁ ତେଲ ଲୁଣର ଚିନ୍ତା ବଢିଛି। ଅପରପକ୍ଷରେ ଲଘୁବନଜାତ ଦ୍ରବ୍ୟ ପାଇଁ କୌଣସି ବଜାର ବ୍ୟବସ୍ଥା ନ ଥିବା ଯୋଗୁଁ ମହୁଲ ଫୁଲ ଗୋଟାଳିମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପଞ୍ଚାୟତସ୍ତରରେ ମହୁଲ ଫୁଲ କିଣାବିକାର ନିୟମ ଥିଲେ ମଧ୍ୟ ଜିଲା ପଞ୍ଚାୟତ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟନୋପାୟ ହୋଇ ସେମାନେ କମ୍‌ଦରରେ ଗୋଟାଇ ଥିବା ମହୁଲ ଫୁଳକୁ ମଧ୍ୟସ୍ଥଙ୍କ ହାତରେ ଟେକି ଦେଉଛନ୍ତି। କରୋନା ଆର୍ଥିକ ସ୍ଥିତିକୁ ବିଗାଡି ଦେଇଥିବା େqବଳେ ମହୁଲ ଫୁଲର ଅଭାବୀ ବିକ୍ରି ଆଦିବାସୀ ପରିବାରର ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଏ ଦିଗରେ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share