ବମ୍ବେ: ‘ଏମ୍ଏସ୍ ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରୀ’ ଫେମ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କର ଆତ୍ମହତ୍ୟା ଅନେକ ପ୍ରଶ୍ନକୁ ଉଦ୍ଜୀବିତ କରିଛି। ବଲିଉଡ୍ର ନାମିଦାମୀ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି। କଥିତ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କୁ ପୋଲିସ ଦଶ ଘଣ୍ଟା ଧରି କରିଛି ଜେରା। ଏବେ ତାଙ୍କୁ ନେଇ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି।
ରିଆ ଟ୍ରୋଲ୍ ହେବାର କାରଣ ହେଲା ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ। ଉଭୟଙ୍କୁ ଫଟୋରେ ଦେଖିବାକୁ ମିଳୁଛି। ସେ ନିଜେ ମହେଶଙ୍କ ସହ ନିଜର ଫଟୋକୁ ସୋସିଆଲ ପୃଷ୍ଠାରେ ଶେୟାର କରିଥିବା ବେଳେ ଏବେ ତାକୁ ଡିଲିଟ୍ କରିଛନ୍ତି। ଫଳରେ ଲୋକମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଟ୍ରୋଲ କରୁଥିବା ଦେଖାଯାଉଛି।
କୁହାଯାଉଛି ଫଟୋଗୁଡ଼ିକ ଦୁଇ ବର୍ଷ ତଳର। ହେଲେ ଏବେ ଏହାକୁ ପ୍ରଶଂସକମାନେ ସୁଶାନ୍ତଙ୍କ ମୃତ୍ୟୁ ସହ ଯୋଡ଼ୁଛନ୍ତି। ଅନ୍ୟପଟେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଘରେ ପାର୍ଟି ରଖିଥିବା କୁହାଯାଉଛି। ହେଲେ ସେହି ସମୟରେ ଘର ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ବନ୍ଦ ରହିଛି। ପୋଲିସ ଏବେ ଭିନ୍ନ ଦିଗରୁ ଘଟଣାର କରୁଛି ଯାଞ୍ଚ।