ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ କଂସ: ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ

ପୁରୀ ଅଫିସ, ୧୨ା୧: ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶନିବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ ସାରି ପ୍ରାୟଶ୍ଚିତ୍ତ କରିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳାରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିନ୍ଦା ସୂଚକ ଶବ୍ଦ ପାଇଁ ଅନୁତାପ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଏଥିସହ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖରେ ଭୁଲ ସ୍ବୀକାର କରି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି।

ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱର ଗୋବର୍ଦ୍ଧନ ପୀଠରେ ପହଞ୍ଚତ୍ଥିଲେ। ପୀଠର ଇଷ୍ଟ ଦେବୀ ମା’ ବିମଳା, ଗୋବର୍ଦ୍ଧନ ନାଥଙ୍କ ଦର୍ଶନ କରିଥିଲେ। ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ୍‌ କରି ଅଭିନୟରେ କୃଷ୍ଣ ବଳାରାମଙ୍କ ପ୍ରତି ଯେଉଁ କଟୁ ମନ୍ତବ୍ୟ ଦେଇଥିଲେ ସେଥିପାଇଁ ପଶ୍ଚାତାପ କରି ଆଶୀର୍ବାଦ ନେଇଥିଲେ। ସେଠାରୁ ଯାଇ ମହୋଦଧିରେ ସ୍ନାନ କରିବା ସହ ପଇତା ବିସର୍ଜନ କରିଥିଲେ। ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଧନୁଯାତ୍ରା ଶେଷ ହେବା ପରେ ଶ୍ରୀକ୍ଷେତ୍ର ଆସିବା ସମ୍ପର୍କରେ ଭୁବନେଶ୍ୱର କହିଛନ୍ତି, ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳାରାମଙ୍କ ସହ ମୋର ଯୁଦ୍ଧ ହେଲା। ତ୍ରାହି ପାଇଗଲି ରାକ୍ଷସ ଜନ୍ମରୁ। ଧନୁଯାତ୍ରାର ୧୧ ଦିନ ଧରି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମସ୍ତେ ଭକ୍ତି କରୁଥିବାବେଳେ ମୁଁ ତାଙ୍କୁ ଗାଳି, ଈର୍ଷା ଆଉ କଟୁ ମନ୍ତବ୍ୟ ଦେଇ ବଦନାମ କରିଛି। ଏପରି କି ବଧ କରିବା ଲାଗି ତାଙ୍କ ଉପରକୁ ଖଣ୍ଡା ମଧ୍ୟ ଉଠାଇଛି । ଏହି କଳିଯୁଗରେ ଯଦି ଭଗବାନଙ୍କ ସହ ଏପରି ଆଚରଣ କେହି କରେ ତେବେ ତାହାଠୁ ବଳି ମହାପାପୀ ଆଉ ଦୁନିଆରେ କେହି ନୁହନ୍ତି । ତେଣୁ ସେହି ପାପରୁ ତ୍ରାହି ପାଇବା ପାଇଁ ଆଜି ମହୋଦଧିରେ ସ୍ନାନ କରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଶୀର୍ବାଦ ନେଇଛି। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପାପରୁ ମୁକ୍ତି ପାଇବା ପାଇଁ କ୍ଷମାପ୍ରାର୍ଥନା କରିଛି। ଅନ୍ୟପକ୍ଷରେ ପୁରୀକୁ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଆସିଥିବା ଖବର ପାଇବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ମହୋଦଧିରେ ସ୍ନାନବେଳେ ଅଧିକାଂଶ ପର୍ଯ୍ୟଟକ ତାଙ୍କ ସହ ସେଲ୍‌ଫି ଉଠାଇଥିଲେ। ଶ୍ରୀମନ୍ଦିର ନିକଟରେ ମଧ୍ୟ ତାଙ୍କୁ ଦେଖିବାକୁ ଭିଡ଼ ଜମିଥିଲା।

Share